Unknown

ଖାଣ୍ଡବ ଦହନ ବା ନବଗୁଞ୍ଜର ବେଶ

ବାଳକୃଷ୍ଣ ମହାନ୍ତି

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

ସଭାଗୃହ (ଅଗ୍ନି ଓ ଦେବତାଗଣ)

ଅଗ୍ନି

-

ଦେବବୃନ୍ଦ ! କେହି ମୋର ଦୁଃଖ ନଶୁଣିଲ ଦିନେ ନିଶ୍ଚିନ୍ତେ ବସିଲ ସର୍ବେ ବାସବାଦି କରି ଜଣାଗଲା ବହ୍ନିଠାରେ ନାହିଁ ତବ ପ୍ରୟୋଜନ କିଛି । ତେବେ ଯାଉଛି ମୁଁ ଏ ମୁହୂର୍ତ୍ତେ ଆତ୍ମହତ୍ୟା କରିବି ନିଶ୍ଚୟ । ଶେଷଦେଖା ଏହିମାତ୍ର ମୋର ।

ଦେବଗଣ

-

ଶାନ୍ତହୁଅ ବୈଶ୍ୱାନର ! କି ଅନ୍ୟାୟ କାର୍ଯ୍ୟ କରିବାକୁ ବଳାଇଛ ମତି । ତୁମ୍ଭର କି ଦୁଃଖ, ପ୍ରକାଶ କର । ଆମ୍ଭେ ଯତ୍‍ପରୋନାସ୍ତି ଚେଷ୍ଟା କରିବୁ ।

ଅଗ୍ନି

-

ଗୀତ

(ସ୍ନପନେ ଯା ଦେଖିଲି-ବୃତ୍ତେ)

ହେ ଦେବବୃନ୍ଦ !

ଦିନୁ ଦିନ ପଡ଼ିଲା ମୋ ହୃଦ ।

ବୁଡ଼ିଲା ମୋ ଆଶା ଭର୍ଷା ଗଲା ଆମର ସମ୍ପଦ । ଘୋଷା ।

 

 

-

ବବୃନ୍ଦ ! ମୋର ଯେତିକି ଦିନ ସ୍ୱର୍ଗ ଭୋଗ କରିବାକୁ ଥିଲା ସେତେଦିନ ହୋଇଗଲାଣି । ଏଣିକି ତୁମ୍ଭମାନଙ୍କ ସ୍ନେହରୁ ତୁମ୍ଭେମାନେ ବଞ୍ଚିତ କର ।

ଦେବଗଣ

-

କିପରି ?

ଅଗ୍ନି

-

ଗୀତ

ଦେବେ ବହିଲ ନିର୍ଦ୍ଦୟା ଉଡ଼ିଯାଉଛି ମୋ ସାହା

କାହା ଆଗେ କହିବି ମୋ ଖେଦ । ୧ ।

 

 

-

ତୁମ୍ଭେମାନେ ତ ମୋର ଦୁଃଖ ଶୁଣିଲ ନାହିଁ, ଆଉ କ’ଣ ତେବେ ମର୍ତ୍ତ୍ୟବାସୀଙ୍କଦ୍ୱାରା ଦୁର୍ଦ୍ଦଶା ମୋଚନ ହେବ ?

ଦେବଗଣ

-

ଅଗ୍ନି ! ତୁମ୍ଭଙ୍କୁ କୌଣସି ବ୍ୟାଧି ଆକର୍ଷିଲା ପରି ତୁମ୍ଭ ରୂପରୁ ଅନୁମାନ । ତେବେ କି ବ୍ୟାଧି, ତାହା ପୁଣି କି ଦୋଷରୁ ହେଲା ତାହା ତ ଜାଣୁନାହିଁ ।

ଅଗ୍ନି

 

-

ଗୀତ

ଶ୍ୱେତରାଜ ଯଜ୍ଞ କାଳେ      ହବିଃ ଭକ୍ଷି ଅବହେଳେ

ବଳେ ବ୍ୟାଧି ବଳାଇଲି ସଧ । ୨ ।

 

 

-

ଅମରଗଣ ! ଶ୍ୱେତରାଜା ଯଜ୍ଞରେ ହସ୍ତୀ ଶୁଣ୍ଢ ପ୍ରମାଣେ ଘୃତ ଆହୁତି ଦେଲା । ମୁଁ ଲୋଭରେ ହବିଃଶେଷଗୁଡ଼ିଏ ଗ୍ରାସ କରିବାରୁ ଏ ଯଶା ଲଭୁଛି ।

 

-

ଗୀତ

କହ କି କରି ଉପାୟ      ତୁଟିବ ଏ ବ୍ୟାଧି ଭୟ

ବାଳକୃଷ୍ଣ ରଚିଲା ଏ ପଦ । ୩ ।

 

 

-

କହ ଦେବେ ! ନାହିଁ ଆଉ ଅବସର ମୋତେ, ଜଣାଯାଏ ପ୍ରାଣବାୟୁ ଉଡ଼ିଗଲା ପରି । ନ ସହେ ଏ କଠୋର ଯନ୍ତ୍ରଣା, ମୃତ୍ୟୁ ବରଂ ଅଟେ ଶ୍ରେୟସ୍କର ।

ଦେବଗଣ

-

ଧନ୍ୱନ୍ତରୀ ! କହନ୍ତୁ, ଜାଣନ୍ତି ଯଦି କିଛି ଏଥି ପ୍ରତିକାର ।

ଧନ୍ୱନ୍ତରୀ

-

ଅମରବୃନ୍ଦ ! କି କହିବି ଏ ବ୍ୟାଧିର ଗୁଣ । ନାମ ୟାର ଲୁଦୁବୁଦୁ ବ୍ୟାଧି । ନ କ୍ଷମିବ ଏହା ଅମର ଔଷଧି ବିନୁ; କିନ୍ତୁ ଅଛି ତାହା ଇନ୍ଦ୍ର ଅକ୍ତିଆରେ ।

ଅଗ୍ନି

-

ତେବେ ଯାଉଛି ମାଗିବି ମୁଁ ଇନ୍ଦ୍ରେ ?

ଧନ୍ୱନ୍ତରୀ

-

ନା, ସେ ଔଷଧି ଅଛି ଗୁପ୍ତଭାବେ । ଯଦି କୋନପାୟେ ଦହିବ ଖାଣ୍ଡବ, ତେବେ ତବ ବ୍ୟାଧି ନିଶ୍ଚେ ହୋଇବ ଆରୋଗ୍ୟ ।

ଦେବଗଣ

-

ଅସମ୍ଭବ ! ଭାଷୁଛ କିପରି, ଅଗ୍ନି ପକ୍ଷେ ଦହିବା ଖାଣ୍ଡବ ନୁହଁଇ ସମ୍ଭବ ।

ଅଗ୍ନି

-

କେ ତେବେ ହେବ ସାହାପକ୍ଷ ଏ ଦୁରୁହ କାର୍ଯ୍ୟେ ମମ, କରନ୍ତୁ ପ୍ରକାଶ ।

ଦେବଗଣ

-

ଯାଅ ଏବେ ଛଦ୍ମବେଶେ ଅର୍ଜୁନ ସମୀପେ ।

 

ଗୀତ-( ତାଳ କଓ୍ୟାଲି )

ବହ୍ନି ଯାଅ ବାରୁଣାନଗର ହେ ।

ଭ୍ରାନ୍ତି ହରିବ ଇନ୍ଦ୍ର କୁମର ହେ । ଘୋଷା ।

 

 

-

ତୁମ୍ଭେ ବର୍ତ୍ତମାନ ବାରୁଣାକୁ ଯାଅ, ଅର୍ଜୁନଦ୍ୱାରା ତୁମ୍ଭ ଅଭିଳାଷ ପୂର୍ଣ୍ଣହେବ ।

ଅଗ୍ନି

-

କିପରି ?

ଦେବଗଣ

-

ଗୀତ

ଖାଣ୍ଡବ ଯେବେ ଦାହ, କରିବ ଧନଞ୍ଜୟ

( ତବ ) ଭୟ ହେବଟି ମନୁ ଦୂର ହେ । ୧ ।

ଖଳପାଞ୍ଚି ଅର୍ଜୁନରେ ବନବାସେ ନେଇ, ପଥେ ସାଧିବଟି ଯାହା ମାନସ ତୁମ୍ଭର ।

 

ଅଗ୍ନି

-

କିପରି ତାଡ଼ିତ ହେବେ ଗୃହ ମଧ୍ୟୁ ପାର୍ଥ ? ସବିଶେଷ କହ ବିସ୍ତାରିଣ ।

ଦେବଗଣ

-

ଗୀତ

ଦୌପଦୀ ସଙ୍ଗେ ଭୀମ;      ରମିଲା ନିଶି ଦିନ

ଭ୍ରାତରେ କଲା ଅବିଚାର ହେ । ୨ ।

 

 

-

ଦୌପଦୀଙ୍କ ସଙ୍ଗରେ ଭୀମ ସଦାବେଳେ ରତ ହୋଇ ଅନ୍ୟ ଭ୍ରାତାମାନଙ୍କୁ ତାଙ୍କ ନିକଟେ ନଛାଡ଼ିବାରୁ ଗୋଟିଏ ପଣ ହୋଇଛି ।

ଅଗ୍ନି

-

ଆଚ୍ଛା, କ’ଣ ପଣ କରିଛନ୍ତି ।

ଦେବଗଣ

-

ଗୀତ

ସେ ଯୋଗୁ ପଣ୍ଡୁପୁତ୍ର,      କରିଲେ ଦୃଢ଼ବ୍ରତ

ଜଣକୁ ଦିନେ ଏ ବିଚାର ହେ । ୩ ।

 

 

-

ସେହି ଦିନଠାରୁ ପଣ୍ଡୁପୁତ୍ରମାନେ ନିୟମ କଲେ ଜଣକେ ମାସକୁ ଛ ଦିନ । ଅର୍ଥାତ୍‍ ଜଣେ ଦିନେ ରହିବ ଅନ୍ୟଦିନେ ଅନ୍ୟଜଣେ ଯିବ ।

ଅଗ୍ନି

-

ବେଆଇନ କଲେ କି ଶାସ୍ତି ପାଇବ ।

ଦେବଗଣ

-

ଗୀତ

ଯେବା ବହିବ ଆଣ୍ଟ,      ପ୍ରତିଜ୍ଞା ହେବ ନଷ୍ଟ

ବନବାସ ତା ପ୍ରତିକାର ହେ । ୪ ।

 

-

ପଦି କେହି ନିୟମ ଭ୍ରଷ୍ଟ ହୁଏ ତେବେ ବାରବର୍ଷ ବନବାସ କରିବ ।

 

 

-

ଗୀତ

କରି କପଟ ବୃତ୍ତ            ବନେ ପଠାଅ ପାର୍ଥ

ବାଳକୃଷ୍ଣର ବିଚାର ହେ । ୫ ।

 

 

-

ବୈଶ୍ୱାନର ! ଯାଅ ତେବେ ବାରୁଣାକୁ ଧରି ଛଦ୍ମବେଶେ, ଥିବେ ଯଦି ଧର୍ମରାଜ କିମ୍ୱା ଅନ୍ୟଭ୍ରାତା କେହି ପାଞ୍ଚାଳି ଉଆସେ ସେ ସମୟେ କେନୋପାୟେ ପଠାଅ ସବ୍ୟସାଚିରେ ସେ ସ୍ଥାନେ । ତେବେ ଯାଇଁ ପୂର୍ଣ୍ଣହେବ ମନୋରଥ ତବ ।

ଅଗ୍ନି

-

ଦେବବୃନ୍ଦ ! ଥାଆନ୍ତୁ କୁଶଳେ, ଯାଉଛି ମୁଁ ମର୍ତ୍ତ୍ୟଧାମେ ତବ ଆଜ୍ଞା ପାଳି । ( ପ୍ରସ୍ଥାନ )

 

 

 

ଦ୍ୱିତୀୟ ଦୃଶ୍ୟ

( ବାରୁଣା କଟକ )

ଦୂତର ପ୍ରବେଶ

 

-

ଗୀତ

ଆସ କିଏ ରସିକ,            ମଞ୍ଜି ଚନ୍ଦନ

ମଉଜ ସରିଗଲାରେ । ପଦ ।

ଗଳେ ଫୁଲହାର,            କାମିଜୀ ଅତର

ପିନ୍ଧି ମଲ ମଲ ଥିଲା ବାଲାରେ ।

କାମିଜୀ କୁରୁତା,            ଇସ୍‍ପ୍ରିଙ୍ଗ ଛତା

ଦେଖାଇ ହୋଇବା ଛୁଆ ପିଲାରେ । ୧ ।

ଗରିବ ଗୁରୁବା,            ପିନ୍ଧି ମୋଟା ଲୁଗା

ଗରିବକୁ ମନୁ ତେଜ ଭଲାରେ ।

ଭକ୍ତିରେ ଯା ମନ,            କି ଲୋଡ଼ା ଫେସନ ?

ଏସନ କଥାକୁ ମନ ଗଳାରେ । ୨ ।

ଏ ଯେ କ୍ରୂରକାଳ            ପାଉନାହିଁ ବଳ,

ବେଳକୁ ବେଳ ଏ ଖଳ ହେଲାରେ ।

କହେ ବାଳକୃଷ୍ଣ            ଭୁଞ୍ଜ ଶାଗଭାତ

ଥାଅ ସଦା ରତ କୃଷ୍ଣଲୀଳାରେ । ୩ ।

 

 

-

(ସ୍ୱଗତ) ଆଚ୍ଛା, ଏଠାରେ ଜଣେ କିଏ ଡାକୁଥିଲା ପରି ଶୁଭିଲା, ବୋଧହୁଏ କେହି ଅଭ୍ୟାଗତ ଦ୍ୱାରଦେଶରେ ଉପଗତ । ବିଳମ୍ୱରେ ପ୍ରୟୋଜନ ନାହିଁ । ଯାଏଁ ତେବେ, (ପ୍ରକାଶ୍ୟେ) କିଏ କେଉଁ କାର୍ଯ୍ୟରେ ଡାକୁଥିଲେ ?

ଅଗ୍ନି

-

( ପ୍ରବେଶ ପୂର୍ବକ ) ଆମ୍ଭେ ଜଣେ ଗରିବ ଦ୍ୱିଜ ।

 

-

ଦୂତ-ଦ୍ୱିଜଟିଏ କୁଆଡ଼ୁ ବାହାରି ପଡ଼ିଲ । ବର୍ତ୍ତମାନ ଦାନର ସମୟ ହୋଇନାହିଁ । ପରେ ଆସିବ ଯାଅ ।

ଅଗ୍ନି

-

ଦୂତ ! ମୁଁ ଦାନାର୍ଥୀ ନୁହେଁ, ବା ନବା ଆଶାରେ ଆସିନାହିଁ ଏଥି ।

ଦୂତ

-

ତେବେ ଆଗମନର କାରଣ ?

ଅଗ୍ନି

-

ବର୍ତ୍ତମାନ ଧର୍ମରାଜ କେଉଁଠାରେ ?

ଦୂତ

-

ମହାବାହୁ ବର୍ତ୍ତମାନ ଅନ୍ତଃପୁରରେ ।

ଅଗ୍ନି

-

( ସ୍ୱଗତ ) ତେବେ ଏହିତ ଠିକ୍‍ ସମୟ ଏହି, ସମୟରେ ଉପାୟ ନକଲେ, ବ୍ୟାଧିନ୍ମୁକ୍ତ ହୋଇପାରିବି ନାହିଁ ।

 

-

( ପ୍ରକାଶ୍ୟେ ) ଦୂତ ! ମୋର ମଧ୍ୟମ ପାଣ୍ଡବ ଅର୍ଜ୍ଜୁନଙ୍କ ସହିତ କିଛି କାର୍ଯ୍ୟ ଅଛି, ତାଙ୍କୁ ଖବର ଦିଅ ।

ଦୂତ

-

ତେବେ ବସନ୍ତୁ ଖବର ଦେଉଛି । (ଅର୍ଜ୍ଜୁନର ପ୍ରବେଶ)

ଅର୍ଜ୍ଜୁନ

-

ଦୂତ ! ଖବର କ’ଣ ? ଏତେ ବ୍ୟଗ୍ର କେଉଁଥିପାଇଁ ।

ଦୂତ

-

ମହାବାହୁ ! ଜଣେ ଦ୍ୱିଜବର ଆପଣଙ୍କ ଦର୍ଶନ ଅପେକ୍ଷାରେ ଦ୍ୱାରଦେଶରେ ଛିଡ଼ା ହୋଇଛନ୍ତି ।

ଅର୍ଜ୍ଜୁନ

-

ଜାଣେ ବ୍ରାହ୍ମଣ ? କି ଅଭିଳାଷରେ ଆସିଛନ୍ତି, କାରଣ କ’ଣ ଜାଣୁ ?

ଦୂତ

-

ମହାବାହୁ ! ବ୍ରାହ୍ମଣ ଭାରି କଡ଼ା ମିଜାସର ଲୋକ । କଥା କହୁ କହୁ ଲାଲହୋଇ ଯାଉଛନ୍ତି । ହୁକୁମ ହେଲେ ଡାକି ଆଣନ୍ତି ।

ଅର୍ଜ୍ଜୁନ

-

ହଉ ଡାକି ଦେ, (ସ୍ୱଗତ) ଏ କ’ଣ, ଏଇମାତ୍ରେ ମୋର ବାମବାହୁ ଘନ ଘନ ସ୍ଫୁରୁଛି କାହିଁକି ? ଏ ତ ସବୁ ଅମଙ୍ଗଳ ଲକ୍ଷଣ ଦେଖାଯାଉଅଛି ।

 

-

(ଅଗ୍ନିର ପ୍ରବେଶ ଓ ଅର୍ଜ୍ଜୁନର ପ୍ରଣାମ କରଣ)

ଅର୍ଜ୍ଜୁନ

-

ଦ୍ୱିଜବର ! ବଡ଼ ଭାଗ୍ୟବାନ ମଣୁଛି ମୁଁ ଆଜି । କହ ବାରେ କିବା ଅଭିଳାଷେ ଆସିଛନ୍ତି ଏଥି ।

 

-

ଗୀତ

(ଖେମଟା)

(ଅଲାଯୁକ ଦ୍ୱିଜ-ବୃତ୍ତେ)

କହ କହ ଦ୍ୱିଜ            ଅଛି କିବା କାର୍ଯ୍ୟ

ଆସିଲ ମୋ ପୁର ହେ । ପଦ ।

ନେତ୍ରେ ଦେଖି ତବ ପଦରାଜି,

ଜନ୍ମ ସଫଳ ହୋଇଲା ଆଜି

ଶଙ୍କା ମନୁ ତେଜି;            ଯେବା ମନରାଜି,

ହେଜି କହ ଗୀର ହେ । ୧ ।

 

 

-

ଦ୍ୱିଜବର ! ସାର୍ଥକ ହୋଇଲା ପୁରୀ ତବ ପଦଲାଗି କିବା ତବ ମନୋରଥ ପ୍ରକାଶନ୍ତୁ ନିର୍ଭୟ ଅନ୍ତରେ ।

ଅଗ୍ନି

-

କି କହିବି ଫାଲଗୁନି ! ବଡ଼ ଗୁରୁତର କଥା ।

ଅର୍ଜ୍ଜୁନ

-

ଗୀତ

କେବା ହୋଇଅଛି ତବ ଅରି

(ଆଜି) ପାଣ୍ଡବେ କର ଗୁହାରି,

କହ ଦୟାକରି      ସଂଶୟ ମୋ ହରି

ଚିନ୍ତାକର ଦୂର ହେ ।

 

 

-

ଦ୍ୱିଜବର ! ତୁମ୍ଭଙ୍କୁ କ’ଣ ଶତ୍ରୁ ଭୟ ହୋଇଛି କି ? କହ, ଏହିକ୍ଷଣି ତାର ପ୍ରତିକାର କରିବି ।

ଅଗ୍ନି

-

ଅର୍ଜ୍ଜୁନ ! ମୋର ଆସିବାଟା ନିଷ୍ଫଳ ହେଲାପରି ଜଣାଯାଉଛି ।

ଅର୍ଜ୍ଜୁନ

-

ଗୀତ

ଯେବା ଆଶା କର ହେ ପ୍ରକାଶ

ଶକ୍ତିଥିଲେ କରିପାରେ ତୋଷ

ବାଳକୃଷ୍ଣ ରସ      କଲା ଏ ରହସ୍ୟ

ଦେଷାଦୋଷ ହର ହେ । ୩ ।

 

 

-

ଦ୍ୱିଜବର ! ଯେ କୌଣସି କଥା ମନରେ ଅଛି ପ୍ରକାଶ କରନ୍ତୁ, ମୁଁ ନିଶ୍ଚୟ ଚେଷ୍ଟା କରିବି ।

ଅଗ୍ନି

-

ଅର୍ଜ୍ଜୁନ ! ତୋହଠାରେ ପ୍ରୟୋଜନ ନାହିଁଟି ମୋହର । କିନ୍ତୁ ସନ୍ତୁଷ୍ଟ ମୁଁ ହେଲି ଆଜି ତୋହରି ସମ୍ମାନେ । ଯଶସ୍ୱୀ ହୋଇବୁ ବାବୁ ଯୁଗେ ଯୁଗେ ତୁହି । କହବାରେ ଧର୍ମସୁତ ଛନ୍ତି ଯହିଁ । ତାଙ୍କୁ ଦିଅ ଏ ବାରତା, ଏ ମୁହୂର୍ତ୍ତେ କରିବେ ସେ ଦେଖା ।

ଅର୍ଜ୍ଜୁନ

-

(ସ୍ୱଗତ) ଭାଇ ତ ବର୍ତ୍ତମାନ ଦୌପଦୀଙ୍କ ନିକଟରେ ଅଛନ୍ତି । ଏ ଖବର ତାଙ୍କୁ ଦବ କିଏ ।

ଦୂତ

-

ଆଜ୍ଞା, ଏ କ’ଣ ତପ୍ତକାର ହୋଇଛନ୍ତି । ଫେରାଇ ଦିଅନ୍ତୁ ।

ଅଗ୍ନି

-

-ଅର୍ଜ୍ଜୁନ ନୀରବ ହେଲେ କିଆଁ, ସମୟ ବିଳମ୍ୱ ହେଉଛି ।

 

-

ଗୀତ

(ଏବେ ନ ଧର ଦୋଷ ମୋହର ତିଳେ-ବୃତ୍ତେ)

ପାର୍ଥ ଜଣାଅ ମୋ ଭ୍ରାତରେ

ହିତାହିତେ ଆସିଛି ମୁଁ ଭୀତନୁହ ବ୍ୟର୍ଥରେ । ଘୋଷା ।

 

-

ଅର୍ଜ୍ଜୁନ ! ମୁଁ ତୁମ୍ଭମାନଙ୍କର ହିତରେ ଆସିଛି । ଭୟର କାରଣ କିଛି ନାହିଁ ।

 

 

-

ଗୀତ

ଅମରେ ପେଶିଲେ ମୋତେ

ଗୁପତେ ଆସିଛି ଏଥେ

କହି ସର୍ବ ସାକ୍ଷାତେ

ଜାଣିଥା ତୋ ସ୍ୱାର୍ଥରେ । ୧ ।

 

 

-

ଅର୍ଜ୍ଜୁନ ! ମୁଁ ଯେଉଁ ଖବରଟି ଦେବତାମାନଙ୍କଠାରୁ ଆଣିଛି, ତାହା ଯୁଧିଷ୍ଠିରଙ୍କ ବ୍ୟତୀତ ଅନ୍ୟ କାହା ଆଗରେ ପ୍ରକାଶ କରିବି ନାହିଁ । ଯେବେ ଏହି ମୁହୂର୍ତ୍ତରେ ଯୁଧିଷ୍ଠିରଙ୍କ ସାକ୍ଷାତ୍‌ ନପାଏ; ତେବେ ଆଉ ଗୃହକୁ ଫେରିବି ନାହିଁ ।

 

ଅର୍ଜ୍ଜୁନ

-

ଦ୍ୱିଜବର ! କିଛି ସମୟ ଅପେକ୍ଷା କରନ୍ତୁ, ମୁଁ ବର୍ତ୍ତମାନ ଭାଇଙ୍କ ନିକଟକୁ କୌଣସିମତେ ଯାଇପାରିବି ନାହିଁ ।

ଅଗ୍ନି

-

ଗୀତ

ଅରକ୍ଷ ପ୍ରାୟେକ ମୁହିଁ,      ଥିବି ତୋ ଦ୍ୱାରେ ଅନାଇ

ଏକ୍ଷଣି ଜଣାଅ ଯାଇଁ ନ କର ଅନର୍ଥରେ । ୨ ।

 

 

-

ଅର୍ଜ୍ଜୁନ ! ମୁଁ କିଛି ଭିକ୍ଷୁକ ନୁହେ, ଯେ ମୁଠାକପାଇଁ ତୋ ଦୁଆରେ ଅନାଇ ବସିଥିବି । ଯଦି ତୋତେ ଭଲ ଗତି ଅଛି ତ ମୋତେ ଯୁଧିଷ୍ଠରଙ୍କ ସାକ୍ଷାତ୍‌ କରାଇ ଦେ ।

ଅର୍ଜ୍ଜୁନ

-

ତା କେବେ ହୋଇପାରିବ ନାହିଁ ।

ଦୂତ

-

ଏତେ ଜିଗର କାହିଁକି ? ଆମ ଖୁସି ନା ତମ କଥାକୁ ଖାଲି ଅନାଇ ବସିଛୁ ।

ଅଗ୍ନି

-

ଗୀତ

ଜାଣୁ ଏ ବ୍ରହ୍ମ ପ୍ରାକର୍ମ      ଦହିବ ବାରୁଣାଧାମ

ତହିଁ କି କର ତୋ କାମ ବାଳକୃଷ୍ଣ କୃତ୍ୟରେ । ୩ ।

 

 

-

(ସକ୍ରୋଧେ) ମୂର୍ଖ ! ବ୍ରହ୍ମଶାପେ ଦହିବି ତୋ ବଂଶ । ଭୀରୁ ! ନିଜ ପ୍ରାଣଲାଗି ବ୍ରାହ୍ମଣର ପ୍ରାଣ ନେବୁ । ଏହିପରା କ୍ଷତ୍ରିୟୋଚିତ ଧର୍ମ, ଆଭିଶାପ ଘେନ ମୋର, ମୂର୍ଖ ଯାଉଛି ମୁଁ ଚଳି ଏ ମୁହୂର୍ତ୍ତେ ।

ଦୂତ

-

ବାଃ ବାଃ, ବାଃରେ ବାଃ, ଏତ ଭୟାନକ ଚଟିତ ।

ଅର୍ଜ୍ଜୁନ

-

ଗୀତ

ତାଳ-ଖେମଟା

(ଯାଅ ଯାଅ ଗଙ୍ଗା-ବୃତ୍ତେ)

ଆଉ ଦଣ୍ଡେ ରହ ରହ ହେ

ଦେବ ଦେବି ମୁଁ ବାରତା ଆଣି

ପାଞ୍ଚାଳି ମନ୍ଦିରେ ଭ୍ରାତା

ଅଛନ୍ତି ମୁଁ ଭଲେ ଜାଣି । ଘୋଷା ।

 

 

-

ଦ୍ୱିଜବର ! ଆଉକ୍ଷଣେ ଅପେକ୍ଷା କରନ୍ତୁ, ମୁଁ ନିଶ୍ଚୟ ଆଣି ବାରତା ଦେବି । ଭାଇ ଅନ୍ତଃପୁରରେ ନଥିଲେ ଆପଣଙ୍କୁ ଏତେ ସମୟ ଅପେକ୍ଷା କରିବାକୁ ହୁଅନ୍ତା ନାହିଁ ।

 

ଅଗ୍ନି

-

ଆଚ୍ଛା, ସେ ଅନ୍ତଃପୁରରେ ଥିଲେ ତୁ ନଯିବୁ କାହିଁକି ?

ଅର୍ଜ୍ଜୁନ

-

ଗୀତ

ବୃକୋଦର ଲାଗି ପଣ      କରିଅଛୁ ପାଞ୍ଚଜଣ

ଯେ ଯାହାର ପାଳିଦିନ ଯିବୁ ପ୍ରିୟା ପାଶେ ମାନି । ୧ ।

 

-

ମଧ୍ୟମ ଭ୍ରାତା ଭୀମ, ଦୌପଦୀ ସଙ୍ଗରେ ସଦାବେଳେ ରତଥାଇ ଅନ୍ୟମାନଙ୍କୁ ତାଙ୍କ ନିକଟକୁ ଛାଡ଼ି ନଦେବାରୁ ଗୋଟିଏ ପଣ ହୋଇଛି, ଜଣକୁ ଦିନେ ଲେଖାଏ ।

ଅଗ୍ନି

-

ଆଚ୍ଛା, ନିୟମ ଲଙ୍ଘନେ କ୍ଷତି କ’ଣ ?

ଅର୍ଜ୍ଜୁନ

-

ଗୀତ

ତହିଁରୁ ହେଲେ ବିରତ      ନ ରହିବ ମୋହ ବ୍ରତ

ହେବୁ ନିଶ୍ଚେ ନିର୍ବାସିତ କ୍ଷାନ୍ତ ହୁଅ ପ୍ରତେ ମଣି ।

 

 

-

ଯଦି ଅମାନ୍ୟ ହୋଇ କେହି ସେ ସ୍ଥାନକୁ ଯାଏ ତ ବାର ବର୍ଷ ବନବାସ ।

ଅଗ୍ନି

-

ମିଥ୍ୟା କଥା, ବ୍ରାହ୍ମଣକୁ ଭଣ୍ଡାଇବାକୁ ବସିଛୁ । ତେବେ ତୋର ନଯିବା କଥା । ମୁଁ ଫେରିଯାଉଛି, ଭଲ ମନ୍ଦ ଘଟିବ ଯା ପଛେ, ନ ଧରିବୁ ଦୋଷ ମୋର, ଯା ମୂର୍ଖ ।

ଅର୍ଜ୍ଜୁନ

-

ଦେବ ! ଯାଉଛି ମୁଁ ତବ ବାକ୍ୟ ପାଳିବି ଏକ୍ଷଣି । (ସ୍ୱଗତ) ଭଗବାନ ! ବିନା ମେଘେ କିମ୍ପା ଏ ବ୍ରଜର ପତନ ।

 

-

ଗୀତ

ଦଇବ ଦୁର୍ଯ୍ୟୋଗ ଏ ତ,

ପଡ଼ିଲା ନିଶ୍ଚେ ବ୍ୟୁତ୍ପାତ

ଦେବ କ୍ଷଣେ ହର ଶ୍ରାନ୍ତ

ନାହିଁ ବିପଦେ ଭାଳେଣି ।

 

 

-

ଦ୍ୱିଜବର ! ମୁଁ କେବେ ଆପଣଙ୍କର କି ଦୋଷ କରିଥିଲି ଯେ ମୋତେ ଏ ଦ୍ୱନ୍ଦରେ ପକାଇଲୁ ।

ଅଗ୍ନି

-

ଯିବୁତ ଶୀଘ୍ର ଯା, ନଚେତ୍‍ ବିଳମ୍ୱରେ ଘଟିପାରେ ବାଧା ।

ଅର୍ଜ୍ଜୁନ

-

ଗୀତ

ବଜ୍ର ଯା ନ ଦେଇ ମୁଣ୍ଡେ

ବର୍ଜିଲେ ବନେ ପାଷାଣ୍ଡେ,

ଅର୍ଜିଲା କର୍ମ ମୁଁ ନିନ୍ଦେ

ବାଳକୃଷ୍ଣ ରସେ ଭଣି । ୩ ।

ଦ୍ୱିଜବର ! ଥାଅ ତେବେ ଯାଉଅଛି ମୁହିଁ ।

 

 

 

ତୃତୀୟ ଦୃଶ୍ୟ

ଅନ୍ତଃପୁର

ସଖୀଗଣ

-

ଗୀତ

( ଦେଖ ବସନ୍ତ-ବୃତ୍ତେ )

ବିଜେ ହେବେ ଗୋ ଧର୍ମସୁତ ଆଜି ସଙ୍ଗାତ । ପଦ ।

ତୋଳି ନାନା ସୁମନ            ଗୁନ୍ଥିବା କରି ଯତ୍ନ,

ସଜାଇ ଦେବି ରତ୍ନ ଖଟ । ୧ ।

ବାସ ଚନ୍ଦନ ଚୁଆ            ଅତର ହେନା କିଆ,

ଶେଯେ ସିଞ୍ଚିବା କରି ଯତ୍ନ । ୨ ।

୧ମା ସଖି

-

ହଇ ଗୋ ବଉଳ ! ତମେ ପାନ ଭାଙ୍ଗି ସାରିଛ ।

୨ୟା ସଖି

-

ମଲା, ତମେ ଫୁଲ ଗୁନ୍ଥା କାମଟି ସାରି ଦେଇଛ, ମୁଁ କି ମୋ ପାଇଟି ବାକି ରଖିବି ।

୧ମା ସଖି

-

ବଉଳ ! ମୋ ଫୁଲରୁ ଗୋଟିଏ ହାର ପ୍ରେମିକ ଗଳାରେ ନାଇଲେ, ପ୍ରେମ ସମ୍ଭାଳି ପାରିବେ ନାହିଁ ।

୨ୟା ସଖି

-

ମଲା, ମୋ ପାନରେ ଏମିତି ମଜାଅଛି ଯେ ଅରସିକଟାଏ ହେଲେ ସୁଦ୍ଧା ରସିକପଣ ବାହାରି ପଡ଼ିବ ।

୩ୟା ସଖି

-

ହେଇତିମ ସାଆନ୍ତାଣି ଆସୁଛନ୍ତି ପାଇଟିତ ସଇଲା । ଚାଲ ଅନ୍ୟ ଧନ୍ଦାକୁ ଯିବା । ( ପ୍ରସ୍ଥାନ )

 

ଚତୁର୍ଥ ଦୃଶ୍ୟ

କକ୍ଷ

ଦ୍ରୌପଦୀ

-

(ସ୍ୱଗତ) ଓହୋ, ମନଟା ଏପରି ଗୋଳେଇ ଘାଣ୍ଟି ହେଉଛି କାହିଁକି ? କହନ୍ତି ସ୍ତ୍ରୀମାନଙ୍କର ଦକ୍ଷିଣ ଚକ୍ଷୁ ସ୍ପନ୍ଦନ ହେଲେ ବଡ଼ ମନ୍ଦ । ଏ ନିଆଁଲଗା ଆଖିଟା ଆଜି ଡେଉଁଛି କାହିଁକି ମ’ ? ମୁଁ ତ କିଛି ବୁଝିପାରୁନାହିଁ । ଭଗବାନ ! ମୋତେ କ’ଣ ଶାସ୍ତି ଦେଇନାହଁ, ପୁଣି ଆଉ କି ଶାସ୍ତି ଦେବାକୁ ଇଚ୍ଛା କରିଛ ।

ଯୁଧିଷ୍ଠିର

-

(ପ୍ରବେଶ ପୂର୍ବକ) ପ୍ରିୟେ ! ନିତ୍ୟକର୍ମ ସାରି ଆସୁ ଆସୁ ଟିକିଏ ବିଳମ୍ୱ ହୋଇଗଲା । ମନଟା ଏପରି ବିରସ ଦେଖାଯାଉଛି କାହିଁକି ? କ’ଣ, କଥା କ’ଣ, ଆସ ପଲଙ୍କକୁ ଆସ ।

 

-

ଗୀତ (କଓ୍ୟାଲି)

ହସି ଆସ ଶଶୀ ହାସୀ ନବ ଛଇଳା ।

ବସି ନାଶ ଗୀରଈଶ ଅରିର ଜ୍ୱାଳା । ପଦ ।

ପ୍ରିୟେ ! ଆସ, ବର୍ତ୍ତମାନ ଭାବନାର ସମୟ ନୁହେଁ ।

 

 

-

ଗୀତ

ଯବା ଅଧରୁ ଧିରା ପିଆଅ ସୁଧାଧରା

ତୁହି ରତି ରୂପ ଚୋରା ରାଜ ମହିଳା । ୧ ।

 

-

ପ୍ରିୟେ ! ତୁମ୍ଭ ସୁଧା ଅଧରରୁ ଟିକିଏ ମଧୁ ଚୁମ୍ୱିବାକୁ ଏ ମନ ଭ୍ରମର ଅଥୟ ହୋଇପଡ଼ିଲାଣି । କ’ଣ କିଛି କହିବ ନାହିଁ

 

 

-

ଗୀତ

ମାରେ ମଦନ ବାଣ ବାରେ କର ତୁ ତ୍ରାଣ

ତୋଷ ଏ ପଞ୍ଚପରାଣ ନ କରି ହେଳା । ୨ ।

 

 

-

ସଖି ! ବିରହ ଜ୍ୱାଳାରେ ମୁଁ ଅଥୟ ହୋଇ ପଡ଼ିଲିଣି, ମୋ ପ୍ରତି ଦୟାବହି ଶୀଘ୍ର ତାର ପ୍ରତିକାର କର ।

 

-

ଗୀତ

ମତି ମୋହନା ମତି ବିଚଳିତ ମୋ ଅତି

ଶୁଣାଅ ତୋର ଭାରତୀ ମାନିନୀ ବଳା । ୩ ।

 

 

-

ପ୍ରିୟେ ! ଯଦି କିଛି କଥା ମନରେ ଅଛି ପ୍ରକାଶ କର, ବୃଥାରେ କାହିଁକି ଏପରି ହଟହଟା କରୁଛ ?

ଦ୍ରୌପଦୀ

-

ନାଥ, ତୁମ୍ଭଠାରେ ମୋର ଅଭିମାନ ନାହିଁ । କାହିଁକି ମନଟା ଭାରି ବ୍ୟସ୍ତ ହେଉଛି । ମୁଁ କିଛି ବୁଝିପାରୁନାହିଁ ।

ଯୁଧିଷ୍ଠିର

-

ପ୍ରିୟେ ! ଶରୀର କ’ଣ ଅସୁସ୍ଥ ଅଛି ?

ଦ୍ରୌପଦୀ

-

ନା ନାଥ ! ଦକ୍ଷିଣ ଚକ୍ଷୁଟା ବାରମ୍ୱାର ଡେଉଁଛି । ସେଥିଯୋଗୁ ମନ କେତେ ଆଡ଼କୁ କେତେ ପାପ ଛୁଉଁଛି ।

ଯୁଧିଷ୍ଠିର

-

ନା, ସଖି ! ସେ କିଛି ନୁହେଁ, ଆସ ପଲଙ୍କକୁ ଆସ । ଯଦି ଦୁର୍ଯୋଗ ଘଟିବାର ଥିବ ତ ଘଟିବ । ତାକୁ ଭାଙ୍ଗିବାକୁ କ’ଣ ମନୁଷ୍ୟର ସାଧ୍ୟ ।

 

-

( ଅର୍ଜ୍ଜୁନର ପ୍ରବେଶ )

( ସ୍ୱଗତ ) ଭଗବାନ ! ମୋତେ କି ବପଦରେ ପକାଇଲେ ? ଏପରି ସମୟରେ ଭାଇଙ୍କ ନିକଟକୁ କିପରି ଯିବି, ଆଉ ତ ପଦ ଚଳୁନାହିଁ ।

 

-

ଗୀତ

( କର୍ମ ମୋର ଏଡ଼େ ନାରଖାର-ବୃତ୍ତେ )

କରୁଣା ସିନ୍ଧୁ କରୁଣା,      କଲାକି ମୋଠାରେ ଊଣା

ଏ ବାରୁଣା ସୁଖ ଆଜ, ହୋଇଯିବ ପରା ଊଣା । ଘୋଷା ।

 

-

ଭଗବାନ ! ଆଜି କ’ଣ ଏ ବାରୁଣାର ସୁଖରୁ ମୋତେ ବଞ୍ଚିତ କରାଇଲ, କ’ଣ କରିବି ।

 

 

-

ଗୀତ

ମୁଁ କାରେ ପାଞ୍ଚିଲି ମନ୍ଦ, ଧାତା ମୋତେ କଲା ଛନ୍ଦ

ଅରଜି ଯାଉଛି ଦ୍ୱନ୍ଦ ଜାଣି ହୋଇ ତ ଅଜଣା । ୧ ।

 

-

ହେ ବିଧାତା ! ମୁଁ କାହାକୁ କେଉଁ ଦୁର୍ଦ୍ଦଶାରେ ପକାଇଥିଲି ଯେ ବର୍ତ୍ତମାନ ତାର ଫଳ ଭୋଗ କରିବାକୁ ଯାଉଛି ।

 

 

-

ଗୀତ

ଆଜି ଏ ବିପଦ ଗାଦି,      ମସ୍ତକେ ଦେଲ ସମ୍ପାଦି

ବଢ଼ିଲା ବିପଦ ନଦୀ ବାଳକୃଷ୍ଣର ରଚନା ।୨।

ମୋର ପଛେ ଯଶା ଯାହା ହେଉ, କେଭେ ବ୍ରହ୍ମ

ଶାପରେ ବଂଶଟା ସାରା ଧ୍ୱଂସ କରାଇବି ନାହିଁ ।

 

-

( ଅର୍ଜ୍ଜୁନର ଅନ୍ତଃପୁରରେ ପ୍ରବେଶ ଓ ଯୁଧିଷ୍ଠିରଙ୍କୁ ପ୍ରଣିପାତ, ଦ୍ରୌପଦୀ ଇଚ୍ଛାରେ ସଙ୍କୁଚିତ )

 

ଯୁଧିଷ୍ଠିର

-

କିଏ, ଅର୍ଜ୍ଜୁନ ! ମୂର୍ଖ ! କି ସାହସେ କଲୁ ଏଡ଼େ କର୍ମ । ନରାଧମ ! ଏହିକି ତୋର ବିବେକ, କହ ମୂର୍ଖ, ଏଡ଼େ ଲଜ୍ଜା ଦେଲୁ କିମ୍ପା ମୋତେ ।

 

-

ଗୀତ

( ହେ ଗୁରୁଦେବ-ବୃତ୍ତେ )

କିମ୍ପାଇ କଲୁ ଏ ଅନର୍ଥରେ ଆରେ ପାର୍ଥ

ବୁଡ଼ିଲା କି ବୁଦ୍ଧି ତୋର ହୁଡ଼ିଗଲୁ ବ୍ରତ । ପଦ ।

ମୂର୍ଖ ! ତୋର ଏଡ଼େ ସାହାସ ! ଏଡ଼େ ଦର୍ପ ! କେ

କହେ ତୋତେ ଧର୍ମବୀର, ଅଧାର୍ମିକ ଅଟୁ ନିଶ୍ଚେ ମୂଢ଼ ।

 

 

-

ଗୀତ

ଛାଡ଼ିଲା କି ତୋତେ ଧର୍ମ ଦେଲୁ ମୋତେ ଏଡ଼େ ସର୍ମ

କାହିଁ ଶିଖିଲୁ ଏ କର୍ମ ଲୋଡ଼ିଲୁ ତୋ ସ୍ୱାର୍ଥ । ୧ ।

 

-

କହ, କାହା ପରାମର୍ଶରେ ମୋତେ ଏ ଘୋର ଅପମାନ ଦେଲୁ ? ଜ୍ୟେଷ୍ଠଭାଇ ବୋଲି ଏତେ ଭକ୍ତି ଦେଖାଉ, ତାର ଶାସ୍ତି କ’ଣ ଏହି

 

 

-

ଗୀତ

ଦ୍ରୌପଦୀ ଯେବେ ତୋ କିଣା

ନ ଥିଲା କି ଆଗୁ ଜଣା

ଆଜି ଏ କି ବିବେଚନା କରିଲୁ ତୁ ଦୁଷ୍ଟ ।

 

-

ଅର୍ଜ୍ଜୁନ ! ଦ୍ରୌପଦୀ ତୋର କିଣା ଖରିଦ; କିନ୍ତୁ ତୁ ବାଧ୍ୟକରି ସମସ୍ତଙ୍କୁ ସେଥିରେ ପକାଇ ଆଜି ଏ ଶାସ୍ତି ଦେବା ତୋର କ’ଣ ଉଚିତ ହେଲା ? ଧିକ୍‍ ତୋର ପ୍ରତିଜ୍ଞା ।

 

 

-

(ଗୀତ)

ଜାଣି ଏ ପାମର ଶାସ୍ତି

କି ସାହସେ ଦେଲୁ ମତି

ରଟିଲା ଏ ଅପଖ୍ୟାତି କହେ ବାଳକୃଷ୍ଣ ।

ମୂର୍ଖ ! ଏ ପାପର ଶାସ୍ତି କ’ଣ ଜାଣୁ ତ ।

 

ଅର୍ଜ୍ଜୁନ

-

ଗୀତ

(ତାଳ-ଝାମ୍ପ)

ହାଇ ରେ ଦୁର୍ଦ୍ଦଣ୍ଡ ବିହି କି ଦଣ୍ଡ ଦେଲୁ ସମ୍ପାଦି

ବଜ୍ର ଯା ନ ଦେଇ ମୁଣ୍ଡେ କଲୁ ଭ୍ରାତେ ଅପରାଧୀ ।

 

 

-

ଭଗବାନ୍‍ ! ମୋର ମସ୍ତକରେ ବଜ୍ରାଘାତ ନକରି ମୋର ପୁଜ୍ୟାଷ୍ପଦ ଭାଇଙ୍କଠାରୁ ଏ କଟୁକଥା ଶୁଣାଇଲୁ । ହୃଦୟ, ତୁ ଫାଟି ନଯାଇ ରହିଛୁ କିମ୍ପାଇ ।

ଯୁଧିଷ୍ଠିର

-

ଅର୍ଜ୍ଜୁନ ! ଧୈର୍ଯ୍ୟଧର, ଯାହା ହେବାର ହେଲାଣି, ତୋର ତ ଦିନେ ଏପରି ଭାବ ଦେଖି ନଥିଲି, କାହା ଫାନ୍ଦରେ ପଡ଼ିଛୁ ସତ କହିଲୁ ?

ଅର୍ଜ୍ଜୁନ

-

ଗୀତ

ଏ ମୋହର ପୋଡ଼ାକର୍ମ      ଆଜୁ ହୋଇଲାଣି ବାମ

ବିପକ୍ଷ ହେଲାଣି ଧର୍ମ,        କେବା ହେବ ପ୍ରତିବାଦୀ

 

 

-

ଭାଇ ! ସେ ମୋର କର୍ମ ଦୋଷ । ଧର୍ମାଧର୍ମ ନାହିଁ ମୋର ଜ୍ଞାନ ।

ଯୁଧିଷ୍ଠିର

-

ତେବେ ତୋତେ କ’ଣ କିଏ ଏଠାକୁ ପଠାଇଲା ?

ଅର୍ଜ୍ଜୁନ

-

ଗୀତ

କ୍ଷମାକର ସହୋଦର,      ପେଶିଲେକ ଦ୍ୱିଜବର

ବାଳକୃଷ୍ଣ ବୋଲେ ମୋର, ବଢ଼ିଛି ବିପଦ ନଦୀ ।

 

 

-

ଯାଅ ଭାଇ ! ଦ୍ୱାରଦେଶେ ଅପେକ୍ଷା କରିଛି ଦ୍ୱିଜବର ଏକ । ତାଙ୍କ ବାକ୍ୟେ ବାଧ୍ୟ ହୋଇ ଅର୍ଜ୍ଜିଛି ଏ ଦୋଷ । ଯେ ପ୍ରତିଜ୍ଞା କରିଅଛି ପୂର୍ବୁ ଲଙ୍ଘନ ମୁଁ ନକରିବି ଲବେ । ଯାଉଛି ମୁଁ ଏ ମୁହୂର୍ତ୍ତେ ବନବାସେ ଚଳି ।

ଯୁଧିଷ୍ଠିର

-

ଶେସ୍ତ ହୁଅ ପାର୍ଥ, ଚାଲ ତେବେ ବ୍ରାହ୍ମଣ ସମୀପେ । (ପ୍ରସ୍ଥାନ)

 

ପଞ୍ଚମ ଦୃଶ୍ୟ

ଦ୍ୱାରଦେଶ

ଅଗ୍ନି

-

ବେଶ୍‍ ହୋଇଛି, ଏଥର ମନକାମନା ହାସଲ ହେଲା । ଅର୍ଜ୍ଜୁନ ଯୁଧିଷ୍ଠିରକୁ ମୋ ସହିତ ସାକ୍ଷାତ୍‌ କରାଇବାକୁ ଆସୁଛି, ଏତିକିବେଳେ ଏଠାରୁ ଅନ୍ତର ହେବା ଦରକାର । ( ପ୍ରସ୍ଥାନୋଦ୍ୟତ )

ଦୂତ

-

କିହେ ଗୋସାଇଁ, ପଳାଉଛ କୁଆଡ଼େ ? ଆଉ ଟିକିଏ ରହ ହୋ !

ଅଗ୍ନି

-

ଆରେ, ମୁଁ ଏଇଲାଗେ ଆସୁଛି ।

ଦୂତ

-

କି ପୋଖରୀ ତଲବ ଦେଲା କି ? ହଉ ଯଅ ଯାଅ ।

ଯୁଧିଷ୍ଠିର

-

କାହାନ୍ତି ସେ ଦ୍ୱିଜ ?

ଅର୍ଜ୍ଜୁନ

-

ଭାଇ, ସେ ତ ଏଇଠି ଥିଲେ । (ଦୂତପ୍ରତି)

 

-

ଦୂତ ! ସେ ଦ୍ୱିଜ କେଉଁଆଡ଼େ ଗଲେ ।

ଦୂତ

-

ପ୍ରଭୁ ! ଏଇଠି ବସି ପାନବଟୁଆ ଖୋଲି ପାନ ଖାଉଥିଲେ । କେଜାଣି କାହିଁକି ଏଇଲାଗେ ବାହାରକୁ ଗଲେ । ମୁଁ ଯେତେ ଅଟକାଇଲି ଜମା ଶୁଣିଲେ ନାହିଁ ।

ଯୁଧିଷ୍ଠିର

-

ଅର୍ଜ୍ଜୁନ ! ଆଉ ସନ୍ଦେହର କାରଣ କିଛି ନାହିଁ, ନିଶ୍ଚେ ଜାଣିଲିଣି କେହି ଦେବ ବୃଥାଛଳେ ଦଣ୍ଡିଅଛି ତୋତେ । ନାହିଁ ଏଥି ତୋର ତିଳେମାତ୍ର ଦୋଷ ।

ଅର୍ଜ୍ଜୁନ

-

ଭାଇ ! ଆଜ୍ଞାକର ପାଳିବି ମୁଁ ପୂର୍ବର ପ୍ରତିଜ୍ଞା ।

ଯୁଧିଷ୍ଠିର

-

ପାଗଳ ହେଲୁ କି ଅର୍ଜ୍ଜୁନ ! ମୁଁ ବେଶକରି ବୁଝିଲିଣି ତୁ ନିର୍ଦୋଷ ।

ଅର୍ଜ୍ଜୁନ

-

ଭାଇ ! ଫେରଇ କି କେବେ ସିନ୍ଧୁଗାମୀ ସ୍ରୋତ ଅବା ରୁକ୍ମିଣୀର ରଥ ? ମୁଁ କ୍ଷତ୍ରିୟ ସନ୍ତାନ, ନଲଙ୍ଘିବି କେବେ ମୋ ନିୟମ । ଦିଅନ୍ତୁ ଶ୍ରୀଚରଣରୁ ଅବ୍ୟାହତି ମୋତେ ।

 

-

ଗୀତ

(ତାଳ ମଧ୍ୟମାନ)

ଦିଅ ଦେବ ଆଶୀର୍ବାଦ      ବିଦାୟ ଘେନୁଛି ତବ

ଛନ୍ଦ ମୋତେ କଲାଣି ଦଇବ ।

ଏ ବାରୁଣା ସୁଖ ଭୋଗ      ଆଜୁ ହେଲାଟି ଅଭାବ

ଜାଣିଲି ମୁଁ କର୍ମ ହତଭାଗ୍ୟ ।୧।

 

 

-

ଭାଇ ! ବିଧାତା ମୋତେ ଆପଣମାନଙ୍କ ସଙ୍ଗ ସୁଖରୁ ବଞ୍ଚିତ କଲାଣି, ଆଉ ବାରୁଣା ମୋ ଭାଗ୍ୟରେ ନାହିଁ ।

ଯୁଧିଷ୍ଠିର

-

(ସ୍ୱଗତ) ମୁଁ ମୂର୍ଖ କ’ଣ କଲି, କାହିଁକି ନବୁଝି ନସୁଝି ଗାଳିଗୁଲଜ କଲି ?

ଅର୍ଜ୍ଜୁନ

-

ଗୀତ

ପୂର୍ବୁ ଯା ହୋଇଛି ପଣ      ପାଳିବି ଆଜ ବହନ

ବାରୁଣାର ନୁହେଁ ମୁହିଁ ଯୋଗ୍ୟ ।

ଦ୍ୱାଦଶ ବରଷ ପୂର୍ଣ୍ଣ            କରି ଫେରିବି ସଦନ

ବାଳକୃଷ୍ଣ ରଚିଲା ଏ ପଦ ।୨।

 

 

-

ଭାଇ, ଯଦି ପ୍ରାଣରେ ଥାଏ ତ ବାରବର୍ଷ ଅତିବାହିତ କରି ଦିନେହେଲେ ଶ୍ରୀଚରଣ ବନ୍ଦନା କରିବି, ମେଲାଣି ଦିଅନ୍ତୁ ।

ଯୁଧିଷ୍ଠିର

-

ଏତ ଆଚ୍ଛା ମୁସ୍‍କିଲ କଥା ହେଲା । (ଦୂତପ୍ରତି) ଦୂତ ! ତୁ ଶୀଘ୍ର ଦୌପଦୀଙ୍କୁ ଖବର ଦେ, ସେ ଆସି ଅର୍ଜ୍ଜୁନଙ୍କୁ ବୁଝାସୁଝା କରନ୍ତୁ । ଅର୍ଜ୍ଜୁନ ! ମୋତେ ଏ ଅପବାଦରୁ ରକ୍ଷାକର । ମୁଁ ଆଉ ବାରୁଣାରେ ମୁଣ୍ଡଟେକି ବାଟ ଚାଲିବିଟି ! ଲୋକେ ମୋତେ କ’ଣ କହିବେ ?

ଅର୍ଜ୍ଜୁନ

-

ଭାଇ ! ମୋ କର୍ମ ଦୋଷରୁ ମୁଁ ଏ ଦଶା ଲଭିଲି ଆପଣଙ୍କର ସେଥିରେ କି ଦୋଷ ?

ଯୁଧିଷ୍ଠିର

-

(ଦୌପଦୀ ପ୍ରତି) ପ୍ରିୟେ ! ଅର୍ଜ୍ଜୁନ ବର୍ତ୍ତମାନ ପୂର୍ବପଣ ଅନୁଯାୟୀ ବନବାସ ଯିବାକୁ ତତ୍ପର, ଯାଅ ତୁମ୍ଭେ ବୁଝାଇ କହିବ ।

ଅର୍ଜ୍ଜୁନ

-

ପ୍ରିୟେ ! ତୁମ୍ଭ ଆମ୍ଭ ଦେଖା ଏତିକି ।

ଦ୍ରୌପଦୀ

-

ନାଥ ! ଏ କି କଥା ? ଏ ଅଧୀନାକୁ ଛାଡ଼ି କୁଆଡ଼େ ଯାଉଛନ୍ତି ? ମୁଁ କ’ଣ ଆପଣଙ୍କ ଯୋଗ୍ୟା ହେଲିନାହିଁ ?

ଅର୍ଜ୍ଜୁନ

-

ନା ସଖି, ମୁଁ ଅଯୋଗ୍ୟ ।

ଦ୍ରୌପଦୀ

-

ଗୀତ

(ଆହା କି ମୋ ସାରଦିଆ-ବୃତ୍ତେ)

ମୋ ରାଣ ପରାଣ ଧନ ନ ଯାଅ ବନ

ହରାଇ ବଞ୍ଚିବି କେହ୍ନେ ତବ ବଦନ । ଘୋଷା ।

 

 

-

ନାଥ ! ଅଧୀନା ଏ ପଦଯୁଗଳ ହରାଇ ସତେ କ’ଣ ପ୍ରାଣରେ ବଞ୍ଚିରହିବ !

ଅର୍ଜ୍ଜୁନ

-

ପ୍ରିୟେ, ନିୟତିର ଗତିରୋଧ କରିବାକୁ ଶକ୍ତି କାହାର ?

ଦ୍ରୌପଦୀ

-

ଗୀତ

ରବିଜିଣା ମୁଖଛବି ହରାଇ ସତେ ବଞ୍ଚିବି

ଦିବା ନିଶି ଭାବି ଭାବି ଯିବ ଜୀବନ ।୧।

 

 

-

ନାଥ ! ଏ ଚନ୍ଦ୍ର ବଦନକୁ ହରାଇ ଆଉ କ’ଣ ଜୀବନରେ ସୁଖ ଅଛି ? ମୋ କଥା ରଖି କେଭେଁ ବନକୁ ଯାଆନ୍ତୁ ନାହିଁ ।

ଅର୍ଜ୍ଜୁନ

-

ନିୟମ ଲଙ୍ଘନ ମହାପାପ, ପୁଣି ଭାବି ଦେଖ । ରାଜାନୁଗତ ଧର୍ମ । ରାଜା ଯେପରି ନିୟମରେ ଚାଲିବେ, ପ୍ରଜାମାନେ ମଧ୍ୟ ସେହି ପନ୍ଥା ଅବଲମ୍ୱନ କରିବେ । କାରଣ ତାଙ୍କର ଆଦର୍ଶ ରହିବ, ‘‘ମହାଜନୋ ଯେନ ଗତଃ ସ ପନ୍ଥା ।’’ ଆହୁରି ମଧ୍ୟ ନଦୀ ଯଦି ଉଦ୍‌ବେଳିତ ହୁଏ, ସେତେ କ୍ଷତି ନାହିଁ, ମାତ୍ର ସାଗରୋଦ୍‌ବେଳିତ ହେଲେ ସଚରାଚର ସମସ୍ତ ବିନଷ୍ଟ ହେବାର ଆଶଙ୍କା । ତେବେ ବୃଥାରେ ବଳାଅନା ସଖି ।

ଦ୍ରୌପଦୀ

-

ଗୀତ

ଦାସୀରେ ନୁହ ନିର୍ଦ୍ଦୟା            ଉଡ଼ିଯାଉଛି ମୋ ସାହା

ପ୍ରାଣ ରଖ ପ୍ରାଣନାହା ବାଳୀ ରଚନ ।୨।

 

 

-

ନାଥ ! ଯେବେ ଦାସୀଙ୍କୁ ଅନ୍ତର କରୁଛନ୍ତି, ତେବେ ମୋ ପ୍ରାଣଟା ଆପଣଙ୍କ ହସ୍ତରେ ନେଇଯାଆନ୍ତୁ । ଏ ଅଲୋଡ଼ା ଜୀବନ ଥାଇ କି ପ୍ରୟୋଜନ ?

ଅର୍ଜ୍ଜୁନ

-

ପ୍ରିୟେ ! ବୃଥା ଭାବନା ତବ । ତୁମ୍ଭେ କ୍ଷତ୍ରିୟ ରମଣୀ ହୋଇ ନଜାଣ କି କ୍ଷତ୍ରିୟ ହୃଦୟ । ଯାହା କର୍ମରେ ଲେଖାଅଛି, ତା କିଏ ଅନ୍ୟଥା କରିବ ?

 

-

ଗୀତ

( ତାଳ କଓ୍ୟାଲି )

ଜୀବ ଥିଲେ ଜବାଧରୀ ଦେବି ଦେଖା ରେ

ଭାବି ନୁହ ଭୋଗିବାକୁ ଦୈବ ଲେଖା ରେ । ଘୋଷା ।

 

 

-

ସଖି ! ଯଦି ପ୍ରାଣରେ ଥାଏ ତ ନିଶ୍ଚୟ ଦେଖା ସାକ୍ଷାତ ହେବ । ମୋର ଯଶା ମୁଁ ଭୋଗ ନକରିବି ତ ଆଉ କିଏ ଭୋଗ କରିବ ?

ଦ୍ରୌପଦୀ

-

ନାଥ ! ତୁମ୍ଭେ ବନବାସ କରିଯିବା କଥା ଶୁଣି ସମସ୍ତେ ଅଧୈର୍ଯ୍ୟ ହେଉଛନ୍ତି ।

ଅର୍ଜ୍ଜୁନ

-

ଗୀତ

ଜାଣି କିଣିଛି ଦୋଷ            କେବ କରିବ ହ୍ରାସ

ବାସ ହେଲାଣି ବିଷ ନାହିଁ ରକ୍ଷା ରେ ।୧।

 

-

ପ୍ରିୟେ ! ମୁଁ ଜାଣୁ ଜାଣୁ ଜ୍ୱଳନ୍ତା ଅନଳରେ ଅସ୍ତକ୍ଷେପ କରିଛି, ନିଶ୍ଚେ ତାର ପ୍ରତିଫଳ ଭୋଗ କରିବି । ଏହା ଜାଣି ଶୁଣି ପାପଟାକୁ ଲୁଚାଇବି କାହିଁକି ।

ଦ୍ରୌପଦୀ

-

ତେବେ ଏ ଅଧୀନାର କଥା କ’ଣ ରଖିବ ନାହିଁ ।

ଅର୍ଜ୍ଜୁନ

-

ଗୀତ

ଥାଅ କର୍ମ ଆଦରି            ମର୍ମେ ନ ହୁଅ ଘାରି

ମୁଁ ଆସିବି ନିଶ୍ଚେ ଫେରି ତେଜ ଶଙ୍କା ରେ ।୨।

 

-

ପ୍ରିୟେ ! ବାରବର୍ଷ ପରେ ନିଶ୍ଚୟ ତୁମ୍ଭର ସାକ୍ଷାତ୍‌ କରିବି, ମୋର ଗୋଟିଏ ନିବେଦନ ଘେନା କର ।

 

-

ଗୀତ

ଭ୍ରାତେ କରାଅ ଶାନ୍ତି      ତେଜ ତୋ ମନୁ ଭ୍ରାନ୍ତି

ଦୀନ ବାଳକୃଷ୍ଣ ଚିନ୍ତି ଏହି ଭିକ୍ଷା ରେ ।୩।

 

-

ପ୍ରିୟେ ! ଭାଇ ଅଧୈର୍ଯ୍ୟ ହେଉଛନ୍ତି, ତାଙ୍କୁ ପ୍ରବୋଧ କର । ମୁଁ ନିଶ୍ଚୟ ପ୍ରତିଜ୍ଞା ପାଳନ କରିବି, ମୋତେ ମେଲାଣି ଦିଅ ?

ଦ୍ରୌପଦୀ

-

ଗୀତ

(କହ ହେ ବିଦେଶୀ-ବୃତ୍ତେ)

ଏହା ଥିଲା ତୁମ୍ଭ ମନେ ଆଉ କାହା ଆଗେ କହିବି ।

ପ୍ରାଣନାହା ଛାଡ଼ିଗଲେ ପ୍ରାଣେ ସତେ ରହିବି । ଘୋଷା ।

 

-

ନାଥ ! ଆପଣଙ୍କ ମନରେ ଏତେ କଥା ଥିଲା ବୋଲି ମୁଁ ଜାଣି ନଥିଲି, ଯଦି ବନକୁ ଯାଅ, ଏ ଅଧୀନାକୁ ସଙ୍ଗରେ ନେଇଯାଅ ।

ଅର୍ଜ୍ଜୁନ

-

ପ୍ରିୟେ ! ତୁମ୍ଭେ ଧୈର୍ଯ୍ୟଧର । କଥାରେ ଅଛି, ‘‘ସମ୍ପଦେ ନହେବ ଚାତର, ବିପଦେ ନୋହିବ କାତର ।’’

ଦ୍ରୌପଦୀ

-

ଗୀତ

ଗ୍ରୀଷମ ବର୍ଷା ଶରତ୍‍,      ହେମନ୍ତ ଶୀତ ବସନ୍ତ

ଏକାଳେ କୋଳେ କାନ୍ତ ବସି ନିଶି ପାହିବ ।୧।

 

-

ନାଥ ! ତୁମ୍ଭପରି ମୋର ମନଜାଣି ଋତୁ ଅନୁଯାୟୀ କିଏ ଶାନ୍ତି ବିଧାନ କରିବ ?

ଅର୍ଜ୍ଜୁନ

-

ପ୍ରିୟେ ! ତୁମ୍ଭେ ମୋତେ ଯେଉଁ ଦୃଷ୍ଟିରେ ଦେଖୁଥିଲ, ସେହିପରି ଅନ୍ୟମାନଙ୍କ ମନ ନିଅ । ମୋ ସଙ୍ଗେ ଲାଗିବା ବୃଥା ।

ଦ୍ରୌପଦୀ

-

ଗୀତ

ବନେ ଗଲେ ଜୀବଧନ      ନିଅ ଏ ଅଧୀନା ପ୍ରାଣ

ବାଳିର ଯିବ କଷଣ ଗୁଣ ତବ ଗାଇବି ।।

ଅର୍ଜ୍ଜୁନ

-

ନାଥ ! ମୋତେ ସଙ୍ଗରେ ନିଅ, ନୋହିଲେ ପ୍ରାଣ ରଖିବି ନାହିଁ ।

 

-

କି ଆଶ୍ଚର୍ଯ୍ୟ, ତୁମ୍ଭେ ମୋ ବିଚ୍ଛେଦରେ ଯେତେ ଅଧୈର୍ଯ୍ୟ ହେଉଛ, ଏ ହୃଦୟ ତୁମ୍ଭ ବିଚ୍ଛେଦରେ କାନ୍ଦୁଛି କି ନା ତା ପରମେଶ୍ୱରଙ୍କୁ ଗୋଚର ।

ଦ୍ରୌପଦୀ

-

-ନାଥ ! ତେବେ କ’ଣ ନିଶ୍ଚୟ ଯିବ ?

ଅର୍ଜ୍ଜୁନ-

-

ଗୀତ

(ଭାରତୀ)

ତୁ କିମ୍ପା ହେଉ ଭାବି ରେ ବାନ୍ଧବୀ,      କିମ୍ପା ହେଉ ଭାବି

ଭୋଗିବାକୁ ଅଛି ଦୁଃଖ କାହା ଆଗେ କହିବି । ଘୋଷା ।

 

-

ପ୍ରିୟେ ! ମୋ ଅଦୃଷ୍ଟରେ ଭୋଗାଭୋଗ ଶେଷ ନହେବା ପର୍ଯ୍ୟନ୍ତ ତାହା ଖଣ୍ଡନ କରିବ କିଏ ?

 

-

ଗୀତ

ଜୀବ ଗଲେଟି ଯିବ            ମନୁ ନ ଯିବ ତୋ ଭାବ

ଛନ୍ଦ କଲାଣି ଦଇବ ମନ୍ଦେ ନିଶୀ ପୁହାଇବି ।

 

-

ସଖି ! ତୁମ୍ଭର ଭାବ ମୁଁ ମଲେ ବା ପାଶୋରି ପାରିବି ଆଉ ମୋତେ ବୃଥା ବାକ୍ୟେ ଶିଳାଘାତ କରନା, ଏ ପ୍ରାଣ ଅସ୍ଥିର ହେଉଛି ।

 

-

(ଗୀତ)

ତୋ ମଧୁର ହାସ୍ୟରେଖା      କାହିଁ ପାଇବି ମୁଁ ଦେଖା

ଏ ମୋର ଅଦୃଷ୍ଟ ଲେଖା ବାଳାମଣି ସହିବି ।।

 

-

ସଖି, ତୁମ୍ଭର ଏ ଲାବଣ୍ୟରୂପକୁ ହରାଇ ଆଉ କ’ଣ ଜୀବନରେ ସୁଖ ଅଛି । ଚାଲ ଭାଇମାନଙ୍କୁ ପ୍ରବୋଧ କର, ମୋତେ ବିଳମ୍ୱ ହେଉଛି ।

 

-

ଦ୍ରୌପଦୀ- ହଉ, ତୁମ୍ଭର ଇଚ୍ଛା ।

 

ଷଷ୍ଠ ଦୃଶ୍ୟ

ପଥ

ପୁରୁଷ

-

ଆ ଆ ଚମ୍ପାବୋଉ ଆରେ,

ସ୍ତ୍ରୀ

-

କିରେ କଅଣ ଖଣ୍ଡିଆ କହ ରେ ।। ଘୋଷା ।।

ପୁ

-

ଆମ୍ଭ ବାରୁଣାର ଶୀରି ଗଲା ରେ

ସ୍ତ୍ରୀ

-

ଖେଣ୍ଟା କାହାର କ’ଣ ହେଲା ରେ,

ପୁ

-

ବହକ ମୁହିଁ ତୁ ସହଜେ ଖାଇ ବସିଛୁ ଜାଣିବୁ କିଆଁ ରେ ।

ପୁ

-

ପାର୍ଥ ଗଲା ବନବାସ ରେ,

ସ୍ତ୍ରୀ

-

ତୋ କଥାକୁ ମାଡ଼େ ହସ ରେ,

ପୁ

-

ନ ବୁଝି ତୁ ଖ୍ୟାସ ମନ୍ଦ ଭବିଷ୍ୟ କହିବାଟି ଆଉ କାହାରେ ।

ସ୍ତ୍ରୀ

-

ଭୀମ ଲାଗି ଯେଉଁ ପଣରେ

ପୁ

-

ତାକୁ ଏଡ଼ିଲା କି ଅରଜୁନ ରେ

ସ୍ତ୍ରୀ

-

ଦଇବ ଘଟଣ ଦେଲାକ କଷଣ ଯା କରମେ ଅଛି ଯାହା ରେ ।

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

କାନନ

ଅର୍ଜ୍ଜୁନ

-

ଆହା, ଏ ଜଙ୍ଗଲଟି କାହାର ! ସୁସଜ୍ଜିତ ପ୍ରମୋଦୋଦ୍ୟାନ ପରି ଦେଖା ଯାଉଛି । ମୁଁ ତ ଏତେ ପଥ ଆସିଲି, କାହିଁ ଏପରି ସୁରମ୍ୟ ମନୋହର ସ୍ଥାନ ଦେଖି ନଥିଲି । ଏହାର ଶୋଭା ସନ୍ଦର୍ଶନେ ମୋର ଦୁଃଖ, କ୍ଳାନ୍ତି ଅପସାରିତ ହୋଇଅଛି । ଏହିଠାରେ ଟିକିଏ ବିଶ୍ରାମ ନେବି । (ବସିବାକୁ ଯାଉଁ ଯାଉଁ) ଏ କ’ଣ, କେହି ହିଂସ୍ରଜନ୍ତୁ ଆସିଲାପରି ଜଣାଯାଉଛି । ଦେଖେ (ଇତସ୍ତତଃ ଚାହିଁ) ହଁ, ବଡ଼ ଭାଗ୍ୟର ବିଷୟ, କର୍ମକୁ ଗଣ୍ଡାଟାଏ ଜୁଟିଛି, ୟାକୁ ଏହିଠାରେ ଶିକାର କରିବି । (ଶର ସନ୍ଧାନ କରି ପଶ୍ଚାଦ୍ଧାବନ, ବାଣ ନିକ୍ଷେପ, ଗଣ୍ଡାର ମୃତ୍ୟୁ ।)

 

ଦ୍ୱିତୀୟ ଦୃଶ୍ୟ

କୈଳାଶ

(ହରଗୌରୀ)

ଶିବ

-

ଦେବୀ, ତୁମ୍ଭଙ୍କୁ ଅନ୍ୟମନସ୍କ ଦେଖୁଛି କାହିଁକି ? କ’ଣ କିଛି ଭାବୁଛ, ପ୍ରକାଶ କର ।

 

-

ପାର୍ବତୀ-ନାଥ ! ମନଟା କାହିଁକି ଗୋଳେଇ ଘାଣ୍ଟି ହେଉଛି ? ମିଜାଜ ଠିକ ରହୁନାହିଁ, କାରଣ କ’ଣ କିଛି ଜାଣିପାରୁନାହିଁ ।

ନନ୍ଦି

-

-କି ଆଶ୍ଚର୍ଯ୍ୟ, ଭ୍ରମିଲି ମୁଁ ଏ କାନନ ଗୋଟା, କାହିଁ ନପାଇଲି ଦେବୀଙ୍କ ଗଣ୍ଡାଟି । ଗଲା କେଉଁଆଡ଼େ, ଯାଏ ତେବେ ଦେଖେ ଯେଉଁସ୍ଥାନେ ନିତିପ୍ରତି ଜଳ ପିଇ କରେ ସେ ଶୟନ, କାଳେ ଥିବ ସେହିସ୍ଥାନେ ଶୋଇ । (ଗଣ୍ଡାକୁ ଦେଖି) ଏକି ଅଦ୍ଭୁତ କାଣ୍ଡ ! କିଏ ସେ ପାଷଣ୍ଡ ଚଣ୍ଡପଣ ବହି ଚିତ୍ତେ କଲା ଏଡ଼େ କାଣ୍ଡ, ବଧିଲା କେ ମୋର ଗଣ୍ଡାଗୋଟି ପଶୁ ଦେହେ ଦିଶେ ଶର କ୍ଷତ । କେଉଁ ବର୍ବର ଏହାକୁ କରିଛି ବିନାଶ । କାହାର ମୃତ୍ୟୁ ନିକଟ ହୋଇଛି ? କାହାର ପୁଣି କୃତାନ୍ତ ପାଞ୍ଜି ପୋଛିଛି । (ଆର୍ତ୍ତନାଦ) ସର୍ବନାଶ ।

ଶିବ

-

କେ କେଉଁଠାରେ ଆର୍ତ୍ତନାଦ କରୁଛି ?

 

-

ପାର୍ବତୀ-ଏଇ ନିକଟରେ ତ ଆମ ପିଲାଙ୍କ ପାଟିପରି ଶୁଣାଯାଉଛି ।

ନନ୍ଦି

-

ବାପା ! ଆମ ଗଣ୍ଡାଟିକୁ କିଏ ମାରିଦେଲା ।

 

-

ଶିବ-ତୁମେ ସେତେବେଳେ କୁଆଡ଼େ ଥିଲ ?

 

-

ନନ୍ଦି,ଭୃଙ୍ଗୀ-ସେତେବେଳେ ଆମ୍ଭେ ପ୍ରସାଦ ପାଇବା ନିମିତ୍ତ ମଠକୁ ଆସିଥିଲୁ ।

ଶିବ

-

କ’ଣ ହେଲା, ଆରେ କେଉଁ ମୁର୍ଖ କଲା ଏଡ଼େ କର୍ମ ଜାଣୁ ଜାଣୁ କିପରି ସେ ସର୍ପ ବିଳେ ପୂରାଇଲା ହସ୍ତ ?

ପାର୍ବତୀ

-

ନାଥ ! ମୋର ସବୁ ସରିଲା, କିଏ ମୋ ସନ୍ତାନକୁ ମାରିଲା ? ହାରେ କପାଳ ! (ମୂର୍ଚ୍ଛା)

 

-

ଶିବ-ନନ୍ଦି ! ମାକୁ ଧର, ଗଣ୍ଡାତ ମଲା ସେଥିଲାଗି ପ୍ରାଣ ଦେଇଦେବ କି ? ଦେବି, ତୁମ୍ଭେ କ’ଣ ପାଗଳିନୀ ହେଲ । ମଲାବସ୍ତୁ କି ଫେରି ଆସିବ, ଥୟ ଧର ।

ପାର୍ବତୀ

-

ନାଥ ! କାର ଏଡ଼େ ସାହସ, ମୋର ଗଣ୍ଡାକୁ ସେ ବିନାଶ କଲା । ତେବେ ମୋତେ ବିନାଶ କରିବାକୁ କେତେ ମାତ୍ର । ମୁଁ ଏ ପ୍ରାଣ ରଖିବି ନାହିଁ ।

ଶିବ

-

ଦେବୀ ତୁମ୍ଭେ ଧୈର୍ଯ୍ୟଧର, ସେ କଥା ବୁଝିବା, ଆମର ଗଣ୍ଡାକୁ ଯେ ମାରିଛି, ଆମେ କ’ଣ ତାକୁ ଛାଡ଼ିଦେବା ? ନନ୍ଦି, ତେବେ ଗଣ୍ଡା କେଉଁଠି ଛାଡ଼ିଥିଲୁ ?

ପାର୍ବତୀ

-

ଗୀତ

(ନାଗରି ହେ ଭାବନା-ବୃତ୍ତେ)

ହେ ଜୀବଧନ, କେ ମୂଢ଼ କଲା ଏଡ଼େ କର୍ମ

ମୋତେ ନ ମାରି ପ୍ରାଣେ      ମାରିଲା ମୋ ସନ୍ତାନେ

ଧିକ୍‌ ଧିକ୍‌ ଏ ପୋଡ଼ା ପ୍ରାଣ ।୧।

 

 

-

ନାଥ ! କେତେ ସ୍ନେହରେ ସେ ଗଣ୍ଡାଟିକୁ ମୁଁ ପାଳିଥିଲି, ତାର ମୃତ୍ୟୁ ଦେଖି ଧୈର୍ଯ୍ୟଧରି ରହିପାରୁନାହିଁ ।

ଶିବ

-

ଦେବି ! ଅଧୈର୍ଯ୍ୟ ହେଲେ କ’ଣ ହେବ, ଯାହା ହେବାର ତ ହୋଇଗଲାଣି ।

ପାର୍ବତୀ

-

(ଗୀତ)

ପଣତ ଛାଡ଼ ନାଥ            ପ୍ରାଣେ ମୁଁ ହେବି ହତ

ଅଧୈର୍ଯ୍ୟ ହେଲାଣି ମୋ ମନ ହେ ।୧।

 

 

-

ନାଥ ! ମୋର କାନି ଛାଡ଼, ମୁଁ ଏ ପ୍ରାଣ ହରାଇ ଦେବି ।

ଶିବ

-

ନନ୍ଦି, ଏତ ମଡ଼ ମୁସ୍କିଲ ହେଲା ! ଦେବି ! ତୁମ୍ଭେ ଶେସ୍ତ ହୁଅ ମୁଁ ତାର ପ୍ରତିକାର କରିବି ।

ପାର୍ବତୀ

-

ଗୀତ

ଯେବଣ ପ୍ରତିକାର,            କରିବ ପ୍ରାଣେଶ୍ୱର

ବାଳାମଣିର ଯିବ ମାନ ହେ ।୩।

 

 

-

ନାଥ ! ସେ ଦୋଷୀକୁ ଯଦି ମାରି ମୋ ନିକଟରେ ପକାଇବ ତ ମୋର ସନ୍ତାନକଷ୍ଟ ମନରୁ ପାଶୋରି ଯିବ ।

ଶିବ

-

ଗୀତ

( ଖେମଟା )

ଯୋଷାମଣି ରୁଷୁ କିମ୍ପା ନାଶିବି ଦୋଷୀକି ରେ

ବାନ୍ଧବି ବସିଥା ବାସେ ନ ଭାଷ ତୁ ବେଶିକିରେ । ପଦ ।

 

-

ଦେବି ! ସେ ମୂର୍ଖକୁ ବର୍ତ୍ତମାନ ବିନାଶ କରିବି । ଯଦି ସେଥିରେ ପଶ୍ଚାଦ୍‌ପଦ ହୁଏ ତ ଏ ନିର୍ଲ୍ଲଜ ମୁଖ ତୋତେ ଦେଖାଇବାକୁ ଆସିବି ନାହିଁ ।

 

-

ଗୀତ

ଚାଲ ବଳେ ମୃତ୍ୟୁ ନିମନ୍ତ୍ରଣ            କରିଛ ମୂଢ଼ ଅଜ୍ଞାନ

ଜାଣିଲି ତା କର୍ମବାମ ପଡ଼ିଲାଣି ଆସିକି ରେ ।

 

-

ଦେବୀ ! ସେ ମୂର୍ଖ ବଳେ ବଳେ ମୃତ୍ୟୁକୁ ନିମନ୍ତ୍ରଣ କରିଛି । ତାକୁ ତ୍ରିଭୁବନରେ ଆଉ ରକ୍ଷା ନାହିଁ ।

 

 

-

ଗୀତ

ଗଣ୍ଡାଟା ପାଇଁଣ ଷଣ୍ଢା      କାଟି ମୁଁ କରିବି ଥଣ୍ଡା

ସଖି ତୁ ନ କର ନିନ୍ଦା ଦେବି ମନ ତୋଷିକିରେ ।

 

-

ଦେବି ! ତୁମ୍ଭର ଗଣ୍ଡା ଲାଗି ସେ ଭାଣ୍ଡର ଷଣ୍ଢାକୁ ନିଶ୍ଚୟ ମୋଡ଼ିଦେବି । ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

 

 

-

ଗୀତ

ହେଲେ ଦେବ ବ୍ରହ୍ମା ହରି            ନାଶିବିଟି ସୁଖଶୀରୀ

ମୋ ସଙ୍ଗେ ହେଲେ ଭଗାରି ବାଳକୃଷ୍ଣ ଭାଷିକି ରେ ।

 

 

-

ପ୍ରେୟସୀ ! ନହୁଅ ଚିନ୍ତିତ ତୁମ୍ଭେ ଏ ମୁହୂର୍ତ୍ତେ, ମାରିବି ପାଷଣ୍ଡେ ସ୍ୱର୍ଗମର୍ତ୍ତ୍ୟ ରସାତଳେ ଯେଣେ ସେ ଲୁଚିବ, ପାଷଣ୍ଡକୁ ତେବେ ଖୋଜି କରିବି ବିନାଶ । ସ୍ୱୟଂ ଗୋଲକାଧିପତି ନାରାୟଣ ଯଦି ତା ସପକ୍ଷରେ ଚକ୍ର ଧାରଣ କରନ୍ତି ତ ମୁଁ ତ୍ରିବାର ସତ୍ୟ କରି କହୁଛି, ସେ କେବେ ମୋ କରୁ ପରିତ୍ରାଣ ପାଇବ ନାହିଁ । ନନ୍ଦି, ଦେଖା ଦେଖା ଶୀଘ୍ର, କେ ମୂର୍ଖ କରିଛି ଏ କାଣ୍ଡ ।

 

ପାର୍ବତୀ

-

ନାଥ ମୁଁ ! ତେବେ ତୁମ୍ଭ ସଙ୍ଗରେ ଯିବି ।

ଶିବ

-

ହଉ, ଚାଲ ତେବେ ।

 

ତୃତୀୟ ଦୃଶ୍ୟ

କାନନ

ଅର୍ଜ୍ଜୁନ

-

ମୋର ଲକ୍ଷ୍ୟ କ’ଣ ଭ୍ରଷ୍ଟ ହୋଇଗଲା, ତେବେ ଶରଟା ତ ଏହି ସ୍ଥାନରେ ପଡ଼ିଥାନ୍ତା । କି ଆଶ୍ଚର୍ଯ୍ୟ, ଯଦି ଆଜି ସାମାନ୍ୟ ଗଣ୍ଡାଟା ମୋର ଲକ୍ଷ୍ୟରୁ ବହିର୍ଭୁତ ହେଲା ତ ଏ ଧନୁଶର ଧରିବା ବୃଥା । ଏ କିଏ ଆସୁଛନ୍ତି, ୟାଙ୍କୁ ପଚାରେ । ହେ ପିଲାଏ, ଆଡ଼କୁ ଆସିଲ ।

ନନ୍ଦି

-

କାହିଁକି ଡାକୁଛ ?

ଅର୍ଜ୍ଜୁନ

-

ଆରେ, ଦେଖିଲ, ଗୋଟାଏ ଗଣ୍ଡା ମୋ ବାଣଦ୍ୱାରା ଆଘାତ ପାଇ କେଉଁଠି ପଡ଼ିଛି । ମୋତେ ଖୋଜିଦେଲେ ପଇସା ଦେବି ।

ନନ୍ଦି

-

ଆରେ ଏଇଠି ତ ଚୋର, ଆମେ ବାର ଆଡ଼େ ଖୋଜୁଛୁ କ’ଣ । ହଇରେ ଦୁର୍ବୃତ୍ତ ପାଷଣ୍ଡ, ତୁ କିମ୍ପା ଆମ୍ଭର ପୋଷା ଗଣ୍ଡାଟି ମାଇଲୁ ?

ଅର୍ଜ୍ଜୁନ

-

ଆରେ କାହାର ଗଣ୍ଡା, ତୁମ୍ଭେମାନେ କ’ଣ ଯିବ ନାହିଁ ?

 

ଗୀତ

ଛପକା

ନନ୍ଦି

-

ମଜା ନିକିଲି ଯିବ ଖୋଜାପଡ଼ିଛି ତୋତେ ।

ଅର୍ଜ୍ଜୁନ

-

କେ ଏମନ୍ତ ବଳଶାଳୀ ଅଛି ଜଗତେ । ପଦ ।

ନନ୍ଦି

-

ସେତ ଜଗତମାତାର ଗଣ୍ଡା, ତୁ କିମ୍ପା ମାରିଲୁ ହୁଣ୍ଡା ।

ଅର୍ଜ୍ଜୁନ-

-

କଣ୍ଡାଗଳା ପରି ତୁମ୍ଭେ ମଣିଛ ମୋତେ ।୧।

ନନ୍ଦି

-

କାଣ୍ଡିଦେବୁଁ ଚୁଟିଧରି, ବଧିଛୁ ଗଣ୍ଡା ଆମ୍ଭରି ।

ଅର୍ଜ୍ଜୁନ

-

ରେ ଦୁର୍ଦ୍ଦଣ୍ଡ ବିଜୟୀ ମୁଁ ଚିହ୍ନ ବାଳୁତେ ।୨।

 

-

ଦୂର ହୁଅ ପାଷଣ୍ଡ, ଚାପୋଡ଼ା ଗୋଟାକେ ଜନ୍ମଦୁଧ ବାହାରିବ ତୁମ୍ଭ ।

ନନ୍ଦି

-

ଚାଲ ତେବେ ବାବାଙ୍କୁ କହିବା । ଚୋରି, ଓଲଟି ସିମାଜୋରି । (ଶିବଙ୍କ ପ୍ରତି) ବାବା ! ଯେ ଗଣ୍ଡାକୁ ମାରିଛି ସେ ଏହି ନିକଟରେ ଭାରି ପ୍ରତାପ ଦେଖାଉଛି ।

ଶିବ

-

ମୂର୍ଖ, ଏଡ଼େ ତୋର ଆସ୍ପର୍ଦ୍ଧା, ଏଡ଼େ ଦର୍ପ ଭେକ ହୋଇ ଭୁଜଙ୍ଗ ବିଳରେ ପୂରାଉଛୁ ହାତ । ଦେବି ! ଆଉ ବିଳମ୍ୱ ନାହିଁ, ମୂର୍ଖର ଅନ୍ତିମ ନିଦ୍ରା ନିକଟ ହୋଇଗଲାଣି ।

ନନ୍ଦି

-

ଚାଲ ଆଗେ ଦିମାକ ଦେଖିବ, କେଡ଼େ ଗର୍ବ ହୋଇଛି ତାହାର (ଅର୍ଜ୍ଜୁନକୁ ଲକ୍ଷ୍ୟ କରି ଦେଖାଇ ଦେବା) ଏଇ ଆସୁଛି, ବାପା ।

ଶିବ

-

ଏଇ ମୂର୍ଖ ! (ଅର୍ଜ୍ଜୁନ ପ୍ରତି) ଆରେ ରେ ପାଷଣ୍ଡ କିମ୍ପା ମୋର ଗଣ୍ଡାକୁ ତୁ କରିଲୁ ବିନାଶ ।

ଅର୍ଜ୍ଜୁନ

-

ରେ ବଣବୁଲା କିରାତ ! କିଣା ଗଣ୍ଡା ବୋଲି ତୋର କି ଥିଲା ପ୍ରମାଣ ।

ଶିବ

-

ଗଣ୍ଡାଟା ପାଇଁ ତୋ ଷଣ୍ଢା ମୋଡ଼ିବି ରେ ଆଜି ।

ଅର୍ଜ୍ଜୁନ

-

କଣ୍ଡାଗଳା ପ୍ରାୟ ମୋତେ ମଣିଛୁ କି ପାଜି ।

ଶିବ

-

ଗୀତ

(ଖେମଟା)

ଏତେ ତୋର ଛାତି            ଆରେ ମୂଢ଼ମତି

କେତେ କହୁ ବଢ଼ି ବଢ଼ି ରେ ।

ଯିବୁକି ରେ ବର୍ତ୍ତି            ପଡ଼ିଲା ଦୁର୍ଗତି

ପ୍ରାଣବାୟୁ ଦେବି କାଢ଼ିରେ । ଘୋଷା ।

 

 

-

ମୂର୍ଖ ! ତୋର ଏତେଦୂର ଆସ୍ପର୍ଦ୍ଧା ? ତୋତେ ଦୈବ ବିପକ୍ଷ ହେଲାଣି । ଆଜି କେ ରକ୍ଷାକର୍ତ୍ତା ହେବ ଦେଖିବି ।

ଅର୍ଜ୍ଜୁନ

-

କିରାତ ! ତୋର ସେହି ପୋଷା ଗଣ୍ଡାଟିର ମୂଲ୍ୟ କେତେ କହ । ଦେବାକୁ ମୁଁ ପ୍ରସ୍ତୁତ ।

ଶିବ

-

ମୂଲ୍ୟ ଦେବୁ ?

 

-

ଗୀତ

ଆରେ ବଣ ଓଲୁ            ମନ୍ଦ କର୍ମକଲୁ

ଯିବ ପିଠିଗଲୁ ଛାଡ଼ି ରେ ।

ଗଣ୍ଡାପାଇ ଷଣ୍ଢା            ମୋଡ଼ିକି ଦୁର୍ଦ୍ଦଣ୍ଡା

ଦଣ୍ଡାରେ ତୁ ଯିବୁ ଗଡ଼ି ରେ ।

 

 

-

ମୂର୍ଖ ! ତୋର ବଢ଼ି ବଢ଼ି କହିବା ଛଡ଼ାଇ ଦେଉଛି, କ୍ଷଣେ ରହ ।

 

-

ଗୀତ

ଧରାଧାମେ ବାସ,            ନାହିଁ ରେ ନୃଶଂସ

ଅଂଶ ବଂଶ ଦେବି ପୋଡ଼ି ରେ ।

ଭୋଗିବୁ ଅଦୃଷ୍ଟ            ସୁମର ତୋ ଇଷ୍ଟ

ବାଳକୃଷ୍ଣ ପଦ ଯୋଡ଼ିରେ ।

 

 

-

ଆରେ ନରାଧମ ! ତୋର ଇଷ୍ଟ ଚିନ୍ତାକର, ଏକ୍ଷଣି ଯିବୁ ସମନ ସଦନକୁ ।

ଅର୍ଜ୍ଜୁନ-

-

ଗୀତ

(ଖେମଟା)

ଆଉ ଦଣ୍ଡେ ରହ ରହ ରେ

ଖଣ୍ଡ ଖଣ୍ଡ ହେବ ତୋ ମୁଣ୍ଡ ।

ତୁ ପିଶାଚ ଭାଣ୍ଡ,            ବର୍ବର ପାଷଣ୍ଡ

ଦେଖିବି ରେ ତୋ କାଣ୍ଡ । ଘୋଷା ।

 

 

-

ମୂର୍ଖ ! ତୋର ବୃଥା ବାକ୍ୟାଳାପର ପ୍ରୟୋଜନ କ’ଣ ? ନଜାଣେ କେ ଜନ ନାମ ମୋହର ଅର୍ଜ୍ଜୁନ । ଦୁର୍ଜନଦଳନ ବାନା ଉଡ଼େ ଯାର ଏ ତିନି ଭୁବନ ।

 

-

ଗୀତ

ଦୁରୁଦଣ୍ଡା ତୋ ଷଣ୍ଡା ମୋଡ଼ି,

ଏ ବ୍ରହ୍ମାଣ୍ଡୁ ଦେବି ମୁଁ ତଡ଼ି ।

ଆରେ ରେ ବାପୁଡ଼ା            ତୁ ଭାଣ୍ଡ ଖେଚଡ଼ା

କଲୁଣି ଲଣ୍ଡଭଣ୍ଡ ।

 

 

-

ରହ ମୂର୍ଖ, ବର୍ତ୍ତମାନ ଖଣ୍ଡ ଖଣ୍ଡ କରିବି ତୋ ମୁଣ୍ଡ । କଣ୍ଡାଗଳାପରି ମୋତେ ନ ଭବ କିରାତ, ଗର୍ବ ତୋର ଖଣ୍ଡିବାକୁ ଆସିଛି ମୁଁ ଏଥେଁ ।

 

-

ଗୀତ

ଦଣ୍ଡାବୁଲା ତୁ ହୁଣ୍ଡା ଚୋର

ଗଣ୍ଡି ମୁଣ୍ଡ ହେବ ତେ ଚୂର

କହେ ବାଳକୃଷ୍ଣ            ସୁମର ତୋ ଇଷ୍ଟ

ଦଇବ କଲା ଛନ୍ଦ ।

 

 

-

ମୂଢ଼ ! ଧର ଅସ୍ତ୍ର କର ରଣେ ଜଣାଯିବ ପଣ, ବୃଥା ଉଚ୍ଚବାକ୍ୟେ ନାହିଁ କିଛି ପ୍ରୟୋଜନ ।

ଶିବ

-

ନରଧାମ ! ହୁଅ ଅଗ୍ରସର । ଘୁଞ୍ଚାଇବି ନିଶ୍ଚେ ତୋର ଆଜି ରଣସାଧ ।

ଅର୍ଜ୍ଜୁନ

-

ଆରେ କିରାତ ! ଏବେ ମରିବୁ ପ୍ରସ୍ତୁତ ହୁଅ ।

ଶିବ

-

ସେ ନିମନ୍ତେ ନାହିଁ ମୋର ଭୟ ?

ଅର୍ଜ୍ଜୁନ-

-

ସମ୍ଭାଳ ଏ ଗଲା ମୋର ଜଳଧାରା ଶର ।

ଶିବ

-

ବାୟବ୍ୟାସ୍ତ୍ରେ ଉଡ଼ାଇଲି ଦେଖରେ ବର୍ବର ।

ଅର୍ଜ୍ଜୁନ

-

ଚାହିଁ ଦେଖ ପର୍ବତାସ୍ତ୍ରେ କାଟିଲି ତୋ ମୁଣ୍ଡ ।

ଶିବ

-

ଏହି ଦେଖ ଈଷିତରେ ବ୍ରଜବାଣେ ହେଲା ଖଣ୍ଡ ଖଣ୍ଡ ।

ଅର୍ଜ୍ଜୁନ

-

ପୁଣି କୁହୁଡ଼ି ବାଣଗଲା ସମ୍ଭାଳ ଶବର ।

ଶିବ

-

ଛେଦି ପକାଇଲା ଦେଖ ମୋର ଏହି ଅର୍ଦ୍ଧଚନ୍ଦ୍ର ଶର ।

ଅର୍ଜ୍ଜୁନ-

-

ସମ୍ଭାଳ ଏ ଶଗଡ଼ ଶର ରେ ମୂଢ଼ ପାଷାଣ୍ଡ ।

ଶିବ

-

ଏହି ହାବୋଡ଼ାସ୍ତ୍ରେ ତୁହି ନିଶ୍ଚେ ମରିବୁ ଦୁର୍ଦ୍ଦଣ୍ଡ ।

 

-

(ଉଭୟଙ୍କ ଯୁଦ୍ଧ ଓ ଶିବଙ୍କର ଶରବ୍ୟର୍ଥ ହେବା ଦେଖି)

ଶିବ- ଅର୍ଜ୍ଜୁନ

-

କ୍ଷାନ୍ତ ହୁଅ ବୀର ପାର୍ଥ, ଚିହ୍ନିଲି ମୁ ତୋତେ । ତୁହି ମହାଶକ୍ତିବାନ । ଅଚିହ୍ନାରେ କଲି ତୋରେ ଦ୍ରୋହ, ଏ ଉପଯୁକ୍ତ ଶାସ୍ତି ପାଇଛି ମୁଁ ଅଙ୍ଗେ ।

 

-

କିଏ ତୁମ୍ଭେ ମହାତ୍ମା, ଅଲକ୍ଷିତେ ଯୁଦ୍ଧ କଲ ମୋହରି ସହିତେ, ନଜାଣି ମୁଁ ଜୁଝିଛି ଅପାର, ଦୋଷାଦୋଷ କ୍ଷମାକରି ଭାଷିବେ କି ପରିଚୟ ଗୀର ?

ଶିବ

-

ବତ୍ସ ! ମୁହିଁ ଏହି ଉଦ୍ୟାନାଧିକାରୀ କୈଳାସପତି ହର । ବିଡ଼ୁଥିଲି ଶକ୍ତି ମୁଁ ତୁମ୍ଭର ।

ଅର୍ଜ୍ଜୁନ

-

(ସ୍ୱଗତ) କ’ଣ ଶୁଣିଲି, କି କର୍ମ କଲି ମୁଁ ମୂଢ଼ । ଅଜ୍ଞାନ ପଣରେ ରିପୁର ବଶବର୍ତ୍ତୀ ହୋଇ ଦେବ ଦେବ ମହାଦେବଙ୍କୁ କି ପୀଡ଼ା ନଦେଲି । ରେ କୁଳିଶ, ତୁ ମୋର ମସ୍ତକ ଚୂର୍ଣ୍ଣ ନକରି ରଖିଛୁ କାହିଁକି ? (ପ୍ରକାଶ୍ୟେ) ହେ ଦେବ ଦେବ ! ତ୍ରିଲୋଚନ ଉମାପତି ! କ୍ଷମାକର ଦାସ ଦୋଷ, ଅଜ୍ଞାନ ମୁଁ ନଜାଣଇ କିଛି ।

 

-

(ସାଷ୍ଟାଙ୍ଗେ ପ୍ରଣିପାତ ଓ ପ୍ରାର୍ଥନା)

 

-

ଗୀତ

(ବିଭୁ ହେ-ବୃତ୍ତେ)

ହର ହେ ଅପରାଧ ମୋହର

ନ ଜାଣି ମୁଁ ଦୋଷ            କଲି ଉମାଈଶ

କର୍ମ ବାମ ମୋହର । ୧ ।

ତୁହି ଦେବ ଦେବ            ପାର୍ବତୀପତି ଗଙ୍ଗାଧର

ରଙ୍ଗ ନୟନ ପଞ୍ଚଆନନ

ଅଧୀନ ଦୁର୍ଗତି ହର । ୨ ।

 

 

-

ପ୍ରଭୁ ! କ୍ଷମାକର । ଅଜଣାରେ କରିଅଛି ଦ୍ରୋହ ଆଚରଣ ।

ଶିବ

-

ଧନ୍ୟ, ଧନ୍ୟ ଅର୍ଜ୍ଜୁନ ! ତୁ ପରାଜିତ କଲୁ ମୋତେ । ତୋର ବାହୁବଳେ ତୁଷ୍ଟ ହୋଇ ଇଚ୍ଛେ ବର ଦେବାକୁ ତୋହରେ (ପାର୍ବତୀଙ୍କ ପ୍ରବେଶ) ଦେବୀ, ଚିହ୍ନିଲଣି କିଏ ଏହୁ ।

ଅର୍ଜ୍ଜୁନ

-

(ପାର୍ବତୀଙ୍କୁ ପ୍ରଣିପାତ) ମା’ ! ଜଗତ୍‍ଜନନୀ ଅଧମ ତାରିଣି ! ଏ ଦୀନ ଦୋଷ କ୍ଷମାକର ।

ଶିବ

-

ଦେବୀ ! ଅର୍ଜ୍ଜୁନ ଏ ମହାବଳଶାଳୀ ଶ୍ରୀକୃଷ୍ଣଙ୍କ ସଖା, ଆଜି ମୋତେ ଯୁଦ୍ଧରେ ପରାସ୍ତ କରିବାରୁ ମୁଁ ତାଠାରେ ସନ୍ତୁଷ୍ଟ ହୋଇ ଗୋଟିଏ ବର ଦେବାକୁ ଇଚ୍ଛା କରିଛି ।

ପାର୍ବତୀ

-

ଆପଣଙ୍କ ଇଚ୍ଛା ।

ଶିବ-

-

ଗୀତ (କଓ୍ୟାଲି)

ମାଗିନିଅ ବର କୁମର ଯେ ଇଚ୍ଛା ତୋର ।

ପରାକ୍ରମ ଦେଖି ଦୟା ହେଲା ମୋହର । ଘୋଷା ।

 

 

-

ଅର୍ଜ୍ଜୁନ ! ତୋ ସହିତ ମୋର ସାକ୍ଷାତ୍‌ ହେଲା ଏ ବଡ଼ ଭାଗ୍ୟର ବିଷୟ ?

 

-

ଗୀତ

ବାସବ ତୋହର ତାତ      କେଶବ ତୋ ପ୍ରିୟପାତ୍ର

ତୋତେ କେବା ସାମରଥ ଏ ଜଗତର ।୧।

 

 

-

ବତ୍ସ, ଯେଉଁ ବର ମାଗିବୁ, ମୁଁ ଦେବାକୁ ପ୍ରସ୍ତୁତ । ଇଚ୍ଛା ସୁଖେ ମାଗି ଘେନ ବର ।

ଅର୍ଜ୍ଜୁନ

-

ଗୀତ

ଯେବେ ଦୟା ପଞ୍ଚାନନ ପ୍ରବାସେ ମିଳିବ ଅନ୍ନ

 

ଶିବ

-

ଗୀତ

ଅସ୍ତୁ ହେଉ ରେ ଅର୍ଜ୍ଜୁନ କାମନା ତୋର ।

 

ପାର୍ବତୀ

-

ଏ କ’ଣ ନାଥ, ଏ କି ଦଗାବାଜି ।

ଶିବ

-

କ’ଣ ଦଗାବାଜି ?

ପାର୍ବତୀ

-

ଅଙ୍ଗ ସୁଦ୍ଧ ନାହିଁ, ଏ ବରର ଫଳ କ’ଣ ହେବ ?

ଶିବ

-

ଠିକ୍‍ କହିଲ ଦେବି ! ମୁଁ ଯାଉଛି ସ୍ନାନ ମାର୍ଜନା କରି ଆସେ । ( ପ୍ରସ୍ଥାନ )

ପାର୍ବତୀ

-

ଅର୍ଜ୍ଜୁନ ! ଏସନ ନିର୍ବୋଧ ତୁହି ଅନ୍ନ ଭିକ୍ଷା ମାଗୁ କିମ୍ପା ହରେ ? କ୍ଷତ୍ରି ଶିଶୁ ତୁହି, ମାଗ ବର ଯଦ୍ଦ୍ୱାରାକି ଲଭିବୁ ପୌରୁଷ ।

ଅର୍ଜ୍ଜୁନ

-

ମା ଅଜ୍ଞାନ ମୁଁ ନଜାଣଇ କିଛି, ଦୟାବହି କହିଦିଅ ଅଧମ ସନ୍ତାନେ ।

ପାର୍ବତୀ

-

ମାଗ, ତେବେ ପାଶୁପତ ଅସ୍ତ୍ର ।

ଅର୍ଜ୍ଜୁନ

-

ହଉ ମା’ ।

ଶିବ

-

(ପ୍ରବେଶି) ବତ୍ସ ! ଇଚ୍ଛା ସୁଖେ ମାଗି ଘେନବର, ଯେ ଇଚ୍ଛା ତୋହର ।

ଅର୍ଜ୍ଜୁନ

-

ପଶୁପତି ! ପାଶୁପତ ଅସ୍ତ୍ର ଅସ୍ତୁ ହେଉ ମୋତେ ।

ଶିବ

-

(ସ୍ୱଗତ) କାହୁଁ ଜାଣନ୍ତା ଏ ଗୂଢ଼ ରହସ୍ୟ, ନିଶ୍ଚେ ଏହା ପାର୍ବତୀ ଫିକର (ପ୍ରକାଶ୍ୟେ) ପ୍ରିୟେ ! ଦେଲି ମୁହିଁ ପାଶୁପତ ଅସ୍ତ୍ର ମାତ୍ର ଦିଅ କିଛି ବର ତୁମ୍ଭେ ପାର୍ଥ ବୀରବରେ ।

ପାର୍ବତୀ

-

ଇଚ୍ଛା ତବ ଦେବି ନିଶ୍ଚେ ବର ।

ଶିବ

-

ଦେବୀ ! ଅଙ୍ଗ ଶୌଚକରି ଆଗେ ଦିଅ ପରେ ବର ।

ପାର୍ବତୀ

-

(ଅଙ୍ଗ ଶୌଚ ନିମିତ୍ତ ପ୍ରସ୍ଥାନ)

ଶିବ

-

ବତ୍ସ ! ଜାଣୁ କି ତୁ ମାଗିବୁ କି ବର ?

ଅର୍ଜ୍ଜୁନ

-

କି ଜାଣେ ମୁଁ, ଯାହା ଆଜ୍ଞା ହେବ ତବ ଅନୁଗ୍ରହେ ।

ଶିବ

-

ମନେରଖ ପାର୍ଥ ? ମାଗିନେବୁ ଦେବୀଠାରୁ ଅକ୍ଷୟ ତୁଣିର । ଯେଉଁ ଶରେ ମହିଷାସୁର ହୋଇଛି ନିଧନ, ମାତ୍ର ବାବୁ ନସନ୍ଧାନିବୁ ଏହା ଇତର ପ୍ରାଣୀରେ । କାର୍ଯ୍ୟକାରୀ ହେବ ଏହା ତୋର ଭାରତ ସଂଗ୍ରାମେ ।

ପାର୍ବତୀ

-

( ପ୍ରବେଶ ) ବତ୍ସ ! କି ମାଗୁଛ ମାଗ ।

ଅର୍ଜ୍ଜୁନ

-

ଦେବୀ ! ହୋଇଛନ୍ତି ସନ୍ତୁଷ୍ଟା ଯେବେ ଅଧମ କିଙ୍କରେ । ଦିଅନ୍ତୁ ତେବେ ଅକ୍ଷୟ ତୁଣିର, ଏହି ଭିକ୍ଷା ଶ୍ରୀପଦ ଯୁଗଳେ ।

ପାର୍ବତୀ

-

ତଥାସ୍ତୁ, (ଶିବଙ୍କ ପ୍ରତି) ଭୋଳାନାଥ । ଜାଣିଲା କେମନ୍ତେ ପାର୍ଥ ଏ ଗୂଢ଼ ଅଭିସନ୍ଧି କଥା ।

ଶିବ

-

ଦେବି ! ଜାଣିଲା ଯେମନ୍ତ ମମ ବର ବାର୍ତ୍ତା, ଜାଣିଲା ସେପରି । (ଅର୍ଜ୍ଜୁନ ପ୍ରତି) ବତ୍ସରେ ଅର୍ଜ୍ଜୁନ ! ଚାଲ ଆଜି ଆତିଥ୍ୟ ଗ୍ରହଣ କରିବୁ ଆମ୍ଭର । ମନେରଖ ନପ୍ରକାଶିବୁ ଏହା କେଭେ ରୁକ୍ମିଣୀ ନାହାରେ ।

ଅର୍ଜ୍ଜୁନ

-

ନା ଦେବ ! ମୁଁ ବର୍ତ୍ତମାନ ଗୋଟିଏ ପ୍ରତିଜ୍ଞା ଲଙ୍ଘନ କରିବାରୁ ବାରବର୍ଷ ବନବାସ କରି ଆସିଛି । ଏ ଅଧମ ଦାସଠାରେ ରଖିଥିବେ ଦୟା ।

 

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

ଶ୍ରୀକୃଷ୍ଣ

-

ଗୀତ

(ଥିଏଟର-ବୃତ୍ତେ)

ମୁଁ ଭାବେ ବନ୍ଧା ଜଗତେ

ଥାଏ ଭକତ ହିତେ ମରତେ ।

ଭକତ ସୁଖରେ ଥାଏ ମୁଁ ସୁଖୀ

ଭକତ ଦୁଃଖରେ ମୁଁ ସଦା ଦୁଃଖୀ

ଭକ୍ତମାନ ରଖି

ମୋ ମାନ ଉପେକ୍ଷି ଭକତପଛେ ଧାଏଁ ନିରତେ ।

 

 

-

ଆହା ! ଭକ୍ତ ମୋର ପ୍ରାଣର ବାନ୍ଧବ । ଜୀବନରେ ସୁଖରାଶି ସେ ଆଜି ଦେବତାମାନଙ୍କ କୁଟିଳ ଚକ୍ରାନ୍ତରେ ପଡ଼ି କେତେ କଷ୍ଟ ସହ୍ୟ କରି ଜଙ୍ଗଲରେ ଅରକ୍ଷ ହୋଇ ବୁଲୁଛି । ବାରୁଣାରେ ଅର୍ଜ୍ଜୁନ ବିଚ୍ଛେଦରେ ଯୁଧିଷ୍ଠିରାଦି ଅନ୍ୟ ଭ୍ରାତାମାନେ କିପରି ଅଛନ୍ତି ଦେଖିବି ( ବାରୁଣାରେ ପ୍ରବେଶି ପାଣ୍ଡବଙ୍କ ପ୍ରତି ) ତୁମ୍ଭମାନଙ୍କ ମନଟା ଏପରି ବିରସ ଦେଖାଯାଉଛି କାହିଁକି ? ମୁଁ ତ କିଛି ବୁଝିପାରୁନାହିଁ ।

ଗୀତ

-

( ହେ ଗୁରୁ ଦେବ-ବୃତ୍ତେ )

ଦେଖୁଛି ଆଜି ବିପରୀତ ହେ ଧର୍ମ ସୁତ । ପଦ ।

କଲି ମୁଁ କିବା ଦୋଷ, ମନେ ବହିଛି ରୋଷ ।

ପ୍ରକାଶି ହର ମୋ ସନ୍ତାପ । ୧ ।

ହସି କିମ୍ପା ନ କହୁଛ କଥା, କିବା ଦୋଷ

କଲିକି ତୁମ୍ଭରେ, ସନ୍ଦେହ ଜନ୍ମିଛି ବଡ଼ ।

 

 

-

ଗୀତ

କାହିଁ ମୋ ପ୍ରାଣ ସଖା ଅର୍ଜ୍ଜୁନ ନାହିଁ ଦେଖା

ତା ପାଶେ ଦୋଷୀ ନାହିଁ ମୁଁ ତ । ୨ ।

 

 

-

ଅର୍ଜ୍ଜୁନ ତ ମୋର ପ୍ରାଣର ବନ୍ଧୁ । ସେ କାହିଁକି ମୋର ତୁଣ୍ଡ ଶୁଣି ଦଉଡ଼ି ଆସୁ ନାହିଁ । ମୁଁ କିଛି ଦୋଷ କରିଛି, ସେଥିଯୋଗୁଁ ମୋର ମୁଖାବଲୋକନ କରୁନାହିଁ ? ଯଦି ସେ କଥା ହୋଇଥାଏ, ତେବେ ମୋତେ କ୍ଷମା ଦିଅନ୍ତୁ । ମୁଁ ତୁମ୍ଭମାନଙ୍କୁ ଛାଡ଼ି ଦଣ୍ଡେ ରହିପାରିବି ନାହିଁ ।

ଯୁଧିଷ୍ଠୀର

-

ଭଗବାନ ! ସେତ ଆମ୍ଭ କର୍ମଦୋଷ ।

ଶ୍ରୀକୃଷ୍ଣ

-

କ’ଣ, କଥା କ’ଣ ? ମୁ ତ କିଛି ବୁଝିପାରୁନାହିଁ ।

 

-

 

ଯୁଧିଷ୍ଠିର

-

ଅର୍ଜ୍ଜୁନ ଗୋଟିଏ ନିୟମ ଲଙ୍ଘନ କରିବାରୁ ବାରବର୍ଷ ନିର୍ବାସିତ ହେଲା ।

ଶ୍ରୀକୃଷ୍ଣ

-

କ’ଣ ହେଲା, ଅର୍ଜ୍ଜୁନ ନାହିଁ ? ତୁମ୍ଭମାନଙ୍କ ମନରେ କ’ଣ ଏଇଆ ଥିଲା ।

 

-

ଗୀତ

ଅହନ୍ତା କରି ପାର୍ଥେ ତେଜିଲ ନିର୍ବାସିତେ

ହେଜିଲ ନାହିଁ ଚାରିଭ୍ରାତ ।

 

 

-

ମୁଁ ନିଶ୍ଚୟ ଜାଣିପାରୁଛି ତୁମ୍ଭେମାନେ ଅହନ୍ତା କରି କପଟରେ ଅର୍ଜ୍ଜୁନକୁ ବନବାସ ପଠାଇଦେଲ ।

ଯୁଧିଷ୍ଠିର

-

ନା, ପ୍ରଭୁ ଏହା କେଭେ ନୁହେ ।

ଶ୍ରୀକୃଷ୍ଣ

-

ଗୀତ

ଧିକ ତୁମ୍ଭର ପଣ, ଧିକ ତୁମ୍ଭ ଜୀବନ

ବାଳକୃଷ୍ଣର ଏ ରଚିତ । ୪ ।

 

 

-

ଧିକ୍ ତୁମ୍ଭର ପ୍ରତିଜ୍ଞା, ଧିକ୍‍ ତୁମ୍ଭର ଜୀବନ, ଅର୍ଜ୍ଜୁନ ପ୍ରାୟ ଭାଇକୁ ଯା ହରାଇ ବସିଲ ନବିଚାରି ଆଗପଛ କିଛି (ସ୍ୱଗତ) ତେବେ ଯିବି ନିଶ୍ଚେ ଅର୍ଜ୍ଜୁନ ସମୀପେ । ଅଦ୍ଭୁତ ରୂପ ଏକ ଦେଖାଇବି ଆଜି । ଚିହ୍ନେ କିନା ମୋର ପ୍ରାଣର ବାନ୍ଧବ । (ପ୍ରକାଶ୍ୟେ) ଥାଅ ତେବେ ତୁମ୍ଭ ଆମ୍ଭ ଦେଖା ଏତିକି ।

 

ଦ୍ୱିତୀୟ ଦୃଶ୍ୟ

ଅର୍ଜ୍ଜୁନ

-

କି ଆଶ୍ଚର୍ଯ୍ୟ ! ଶ୍ରୀକୃଷ୍ଣଙ୍କ କଥା କିମ୍ପା ମନେ ପଡ଼େ ସଦା ଯେଣେ ଚାହେଁ କୃଷ୍ଣ ପ୍ରାୟ ଦିଶିଯାଏ ମୋତେ, ନା, ନା, ବାତୁଳ ମନ, ଆଉ କ’ଣ ତୋ ଭାଗ୍ୟରେ ସେ ଲାବଣ୍ୟ ମାଧୁରୀ ରୂପ ଅଛି । ଏ କ’ଣ ? ଏ କି ଶବ୍ଦ ? ହିଂସ୍ର, ଜନ୍ତୁ କେହି ଆସିଲା ପରା (ନବ ଗୁଞ୍ଜର ବେଶେ ଶ୍ରୀକୃଷ୍ଣଙ୍କ ପ୍ରବେଶ) ।

 

-

ଗୀତ

ତାଳ ଛପକା

ଏ କେଉଁ ଅଦ୍ଭୁତ (ରୂପ) କାହୁଁ ଆସିଲା ରେ ।

ମୋ କଳ ବଳ କୌଶଳ ଧ୍ୱଂସିଲା ରେ । ଘୋଷା ।

 

 

-

ଏ କି ଅଦ୍ଭୁତ ମୂର୍ତ୍ତି ! ୟାକୁ ଦେଖି ମୋର ବୁଦ୍ଧି ବିବେକ ସମସ୍ତ ଚୂନା ହୋଇଗଲାଣି

 

-

ଗୀତ

ମାଥେ କୁକୁଟ ମୁକୁଟ      ମୟୁର ପ୍ରାୟେକ କଣ୍ଠ

ବୃଷଭ ପ୍ରାୟେକ ପୃଷ୍ଠ ଦିଶିଲା ରେ । ୧ ।

ବ୍ୟାଘ୍ର, ଅଶ୍ୱ, ହସ୍ତୀ ପଦ      ସିଂହକଟୀ ସର୍ପ ଲାଞ୍ଜ

ମନୁଷ୍ୟର କର ଏକ ମିଶିଲା ରେ । ୨ ।

 

 

-

ଆହା ! ଏ ଅଦ୍ଭୁତ ଜୀବ ମୁଁ ତ କେବେ ଦେଖିନାହିଁ । ୟାକୁ ଦେଖିଲାବେଳୁ ମୋ ମନର ଆନନ୍ଦ ଦ୍ୱିଗୁଣିତ ହେଉଛି, ନିଶ୍ଚୟ ଏ ମାୟା ।

 

-

ଗୀତ

କିବା ବ୍ରହ୍ମା ହରିହରେ      କପଟ କଲେ ମୋଠାରେ

ବାଳକୃଷ୍ଣ ବୋଲେ ନିଶ୍ଚେ ଗ୍ରାସିଲା ରେ । ୩ ।

 

 

-

ନିଶ୍ଚୟ ଜାଣିଲିଣି, ନିଶ୍ଚୟ ବୁଝିଲିଣି, ନୁହେଁ କେବେ ବନଚର ଏହି । ନବରଙ୍ଗିଆ କିଏ ତୁହି କହ କିସ ବଞ୍ଛା । ମାଗୁ ଯେବେ ପ୍ରାଣ ଅବିଳମ୍ୱେ ସମର୍ପିବି ତୋତେ ।

ଶ୍ରୀକୃଷ୍ଣ

-

ପ୍ରାଣସଖା ତୋ ବିହୁନେ ଶୂନ୍ୟ ମୋତେ ଦିଶିଲା ଗୋଲେକ, ତେଣୁକରି ଲୋଡ଼ିଲି ତୋ ପଥ ।

ଅର୍ଜ୍ଜୁନ

-

ଭଗବାନ ! ଏ ଅଭାଗା ସତେ ଆପଣଙ୍କ ମନରେ ପଡ଼ିବ ବୋଲି ମୁଁ ବିଶ୍ୱାସ କରିନଥିଲି । (ଅଗ୍ନିପ୍ରତି) କିଏ ଏହି ଜୀର୍ଣ୍ଣ ଶୀର୍ଣ୍ଣ ଜରାଗ୍ରସ୍ତ ଲୋକ କିବା ବ୍ୟାଧି ଆକର୍ଷିଛି ତାଙ୍କୁ ଡାକ ପୁଛିବା କାରଣ ।

ଅଗ୍ନି

-

(ସ୍ୱଗତ) ଏଇଠି ଅର୍ଜ୍ଜୁନ ସଙ୍ଗରେ ଶ୍ରୀକୃଷ୍ଣ ଏତିକିବେଳେ ମନୋରଥଟା ନିଶ୍ଚୟ ପୂର୍ଣ୍ଣ ହେବ ।

ଅର୍ଜ୍ଜୁନ

-

ବିପ୍ରବର ! କିବା ତବ ଅଭିଳାଷ, କହ ଶକ୍ତି ଥିଲେ ମେଣ୍ଟାଇବି ଦୁର୍ଦ୍ଦଶା ତୁମ୍ଭର ।

ଅଗ୍ନି

-

ବାପ, କର ତେବେ ସତ୍ୟ ?

ଅର୍ଜ୍ଜୁନ

-

ସତ୍ୟ କିମ୍ପା କରିବି ବ୍ରାହ୍ମଣ, ମୋ ନିଜ ପ୍ରାଣ ଭାତୃଦ୍ରୋହୀ, କୃଷ୍ଣଦ୍ରୋଦୀ, ଏହା ଛଡ଼ା ଯା ମାଗିବ ଦେବି ସତ୍ୟ ସତ୍ୟ ।

ଅଗ୍ନି

-

ମୁହିଁ ଅଗ୍ନି ! ଗ୍ରାସିଛି ଲୁଦୁବୁଦୁ ବ୍ୟାଧି ମୋହର ଶରୀରେ । ଆସିଛି ମୁଁ ଆଶ୍ରାକରି ତୋତେ ଏହିସ୍ଥାନେ, ଦହିଣ ଖାଣ୍ଡବ ମୋତେ କରାଇବୁ ରୋଗମୁକ୍ତ ଯେବେ ଉପଯୁକ୍ତ, ଧର୍ମ କମାଇବୁ ବାବୁ ! କିନ୍ତୁ ନଛାଡ଼ିବୁ କୀଟହୁଁ ପତଙ୍ଗଯାଏ ଏକ ସେ କାନନ ମଧ୍ୟୁ ।

ଅର୍ଜ୍ଜୁନ

-

ଦେବ ! ଆପଣଙ୍କ କୃପାରୁ ଓ ଭଗବାନଙ୍କ ଦୟାରୁ ମୁଁ ନିଶ୍ଚୟ ଏ ମୁହୂର୍ତ୍ତେ ଖାଣ୍ଡବ ଦହନେ ଆପଣଙ୍କୁ ଯଥାଶକ୍ତି ସାହାଯ୍ୟ କରିବି ।

 

-

ଗୀତ

( ତୁହି ନରାଧମ-ବୃତ୍ତେ )

ହୁଅ ବହ୍ନି ଶାନ୍ତ ତୁମ୍ଭ

ମନୋରଥ ପୂର୍ଣ୍ଣ କରିବି ଟି ମୁହିଁ ।

ଦୟାକର ଦେବ ଦହିବି ଖାଣ୍ଡବ

ଭକ୍ଷିବ ନିଶ୍ଚିନ୍ତ ହୋଇ ।

ବେଗେ କଢ଼ାଅ ପଥ ।

ପାର୍ଥ ପାଳିବଟି ଆଜି ଦୃଢ଼ବ୍ରତ । ୧ ।

 

 

-

ଦେବ ! ଚାଲନ୍ତୁ ତେବେ, ବିଳମ୍ୱରେ ନାହିଁ ଆଉ ପ୍ରୟୋଜନ କିଛି ।

 

-

( ଅର୍ଜ୍ଜୁନ ସାହାଯ୍ୟେ ଅଗ୍ନି ଖାଣ୍ଡବବନେ ପ୍ରବେଶ )

ଗନ୍ଧର୍ବେ-ରହରେ ମୂର୍ଖ କି ସାହସେ କରୁ ଏଡ଼େ କର୍ମ ।

୧ମ ଗନ୍ଧର୍ବ-ଭାଇ ସର୍ବନାଶ ହେଲା ।

୨ୟ ଗନ୍ଧର୍ବ

-

ହଁ, ଅଗ୍ନି ତ ପ୍ରବଳ ଭାବରେ ଲାଗିଗଲେଣି କିଏ ଏପରି କାଣ୍ଡ କଲା ।

୧ମ

-

ଆରେ ମଧ୍ୟମ ପାଣ୍ଡବ ଅର୍ଜ୍ଜୁନ ଅଗ୍ନିର ଦୁର୍ଦ୍ଦଶା ହରିବାକୁ ଅଗ୍ନିକୁ ସଙ୍ଗରେ ଆଣି ସବୁ ଭସ୍ମ କରି ଦେଉଛି ।

୨ୟ

-

ଆମ ଧନୁଶର ଧରିବା କ’ଣ ବୃଥା ହୋଇଯିବ ।

୧ମ

-

ଚାଲ ସର୍ବେ ଭୟ କ’ଣ । ରେ ମୂର୍ଖ, କି ସାହସେ କରୁ ଏଡ଼େ କର୍ମ ।

 

-

ଗୀତ

(କଓ୍ୟାଲି)

ରହ ରହ ପାର୍ଥ ତୁ ରହ ରହ ରେ

କିମ୍ପା ଖାଣ୍ଡବ ବନ କରୁ ଦାହ ରେ । ପଦ ।

 

 

-

ମୂର୍ଖ, କାହା ବଳରେ ସ୍ୱର୍ଗରେ ପଶି ଏତେକାଣ୍ଡ କରୁଛୁ, ତାହା ସମୁଚିତ ଶାସ୍ତି ବର୍ତ୍ତମାନ ଭୋଗ କରିବୁ ।

 

-

ଗୀତ

ସିଂହ ମେଳରେ ଶଶା,      ପଶି ଏଡ଼େ ଭରସା

ବଣା ହେଲା କି ଯଶା କହ ରେ । ୧ ।

 

 

-

ମୂର୍ଖ ! ବର୍ତ୍ତମାନ ତୋର ମହାନିଦ୍ରାର ସମୟ ଉପଗତ, ଇଷ୍ଟ ସୁମରଣା କର ।

ଅର୍ଜ୍ଜୁନ

-

ପାଷାଣ୍ଡ, ପ୍ରାଣ ଘେନି ପଳାଅ ଏଠାରୁ, ନଚେତ୍‍ ଖଣ୍ଡ, ଖଣ୍ଡ କରିଦେବି ତୁମ୍ଭ ଗଣ୍ଡି ମୁଣ୍ଡି ।

ଗନ୍ଧର୍ବ

-

ଗୀତ

ଯମ କି ନିମନ୍ତ୍ରଣ,            କଲାଣି ଅଜ୍ଞାନ

ପଶା ନାହିଁ ସୁଜ୍ଞାନ ଦେହରେ ।୨।

ପ୍ରାଣେ ଯେବେ ତୋ ଆଶ, ପଳା ଏଥୁଁ ନୃଶଂସ

ବାଳକୃଷ୍ଣର ଆଶ ରହରେ ।୩।

 

 

-

ବେଢ଼ିମାର ଗନ୍ଧର୍ବେ ସମସ୍ତେ ଦୁରାଚାର ଛାରଖାର କଲା ଏ ଖାଣ୍ଡବ ।

ଅର୍ଜ୍ଜୁନ

-

ଆସ ତେବେ ଧର ଅସ୍ତ୍ର କର ରଣ, ଦେଖାଯିବ କାହା ପଥ ପରିଷ୍କାର କଲାଣି ଶମନ, ପୁଣି ରେ ବର୍ବରେ, ଏତେ ଚାଣ୍ଡେ ଭୁଲିଗଲଣିକି ସେ ପୂର୍ବର କାହାଣୀ ।

 

-

(ଯୁଦ୍ଧ କରୁ, କରୁ ଗନ୍ଧର୍ବଙ୍କ ଛତ୍ରଭଙ୍ଗ)

ଅର୍ଜ୍ଜୁନ

-

ପଳାଅ କେଣିକି ଦୁଷ୍ଟେ, ପଳାଅ କେଣିକି ? ଚୁଚୁନ୍ଦରା ବଧି ହସ୍ତର ମର୍ଯ୍ୟାଦା ନଷ୍ଟ କରିବି କେହ୍ନେ, ଯାଅ ଯାଅ ନିଜ ପ୍ରାଣ ଘେନି; ତୁମ୍ଭର ଏ କାର୍ଯ୍ୟର ପୁରସ୍କାର ଯାହା ଯାହା ଶୁଣ ମୋହଠାରୁ । ଚାହଁ ଯେବେ ନିଜ ନିଜ ଭଲ, ଅପରାଧ ବିନିମୟେ ମାଗ କ୍ଷମାଭିକ୍ଷା ।

 

ତୃତୀୟ ଦୃଶ୍ୟ

ନାରଦ

-

ଗୀତ

( ଥିଏଟର-ବୃତ୍ତେ )

ହରିନାମେ ଆଜି ବାଜ ରେ ବୀଣା ।

ହରି ହରି ବୋଲି            ନାଚ ବାହୁ ତୋଳି

ହରିନାମ ସ୍ୱାଦୁ ପାଉ ରସନା

ହରି ନାମ ଅମୂଲ୍ୟ ଧନ            ଚିହ୍ନ ବାରେ ପାଗଳ ମନ

ଆଉ ଧନ ତୋର, ନୁହଇଟି ଚିର

ଅନ୍ତିମ କାଳକୁ କରିବ ବଣା । ୧ ।

ହରିମୟ ଏହି ଜଗତ      ପଶୁପକ୍ଷୀ ପତଙ୍ଗ କୀଟ

ଜଳେ ଦେଖ ହରି; ସ୍ଥଳେ ଦେଖ ହରି

ସର୍ବଘଟେ ପୂରି ଅଛନ୍ତି ସିନା । ୨ ।

ହରିନାମେ ବାନ୍ଧରେ ଭେଳା

ହରିନାମେ ଖେଳରେ ଖେଳା

ଆଉ ନାମ ବେଳା,            ନ କରରେ ହେଳା

ବାଳକୃଷ୍ଣେ କୃଷ୍ଣ କର କରୁଣା । ୩ ।

 

 

-

ହରିବୋଲ, ହରିବୋଲ ! (ସ୍ୱଗତ) ଇନ୍ଦ୍ର ତ ବର୍ତ୍ତମାନ ନୃତ୍ୟଗୀତରେ ବିହ୍ଵଳିତ ହୋଇଛି, ଏଣେ ଅର୍ଜ୍ଜୁନ ସାହାଯ୍ୟରେ ଅଗ୍ନି ତାର ପ୍ରାଣରୁ ଅଧିକ ସୁରକ୍ଷିତ ଖାଣ୍ଡବ ବନ ଦହନ କରିବାରୁ ଗନ୍ଧର୍ବଗଣ ଯତ୍‍ପରୋନାସ୍ତି ଚେଷ୍ଟାକରି ସୁଦ୍ଧା କୌଣସିମତେ ରକ୍ଷାକରି ନପାରି ନିଜ ନିଜ ପ୍ରାଣ ବିକଳରେ ଇତସ୍ତତଃ ପଳାୟନ କରିଛନ୍ତି । ଯାଏ, ଏ ବିଷୟ ଇନ୍ଦ୍ରକୁ ଟିକିଏ ଚେତାଇ ନଦେଲେ ହେବନାହିଁ । ପୁଣି ଅର୍ଜ୍ଜୁନ ଦେବକୂଟରୁ ବାରବର୍ଷ ବନବାସ ଆସି ଅନେକାନେକ ଦେବ କାର୍ଯ୍ୟ ସାଧନ କରି ଦେବତାମାନଙ୍କଠାରୁ ମହା ମହା ଶକ୍ତିଶାଳୀ ଅସ୍ତ୍ର ଶସ୍ତ୍ରମାନ ପାଇ ସାରିଲେଣି, ମାତ୍ର ବାକି ଅଛି ଅଗ୍ନିଠାରୁ ଗାଣ୍ଡିବ କାର୍ମୂକ ଓ ଇନ୍ଦ୍ରଠାରୁ କିରୀଟ ଭୂଷଣ । ନେଲେ ଏହା ତ୍ରିପୁର ବିଜୟୀ ନିଶ୍ଚେ ହେବ ଧନଞ୍ଜୟ, ଯାଏ ତେବେ ।

 

ଚତୁର୍ଥ ଦୃଶ୍ୟ

(ଇନ୍ଦ୍ରସଭା)

( ଦେବଗଣ ସହ ଇନ୍ଦ୍ର ନୃତ୍ୟ ଗୀତରେ ମତ୍ତ )

ଇନ୍ଦ୍ର

-

ବରାଙ୍ଗନେ ବନ୍ଦ କଲ କାହିଁକି ? ଗାଅ ପ୍ରେମର ସଂଗୀତ ।

ନାରଦ

-

(ପ୍ରବେଶ ସ୍ୱଗତ) ଏହି ତ ପ୍ରକୃତ ସମୟ ମିଳିଛି । (ପ୍ରକାଶ୍ୟେ) ହରିବୋଲ, ହରିବୋଲ, ହରିବୋଲ ।

 

-

 

ଇନ୍ଦ୍ର

-

ପ୍ରଣତି ଶ୍ରୀପଦେ ଦେବ ବିଧିର ନନ୍ଦନ ! ଦେବର୍ଷେ, କିବା ଅଭିଳାଷେ ଅସମୟେ ସମାଗତ ଏଥି, ଉପବିଷ୍ଟ ହୁଅନ୍ତୁ ଏ ଆସ୍ଥାନେ ।

ନାରଦ

-

ଦେବରାଜ ! ସେହିପରି ଅସମୟ ହେତୁ ଆସିଲୁ ବାହାରି ।

 

-

ଗୀତ

(ଗୁରୁଦେବ-ବୃତ୍ତେ)

ଶଚିପତି ପଡ଼ିଲା ବଡ଼ ବିପତ୍ତି

ନିଶ୍ଚିନ୍ତେ ବସିଛୁ ବାସେ କୁଣ୍ଢେକରି ଛାତି । ପଦ ।

 

 

-

ଦେବରାଜ ! ବର୍ତ୍ତମାନ ତୁ ଆମୋଦ ପ୍ରମୋଦରେ ବିହ୍ଵଳିତ ହୋଇ ନୃତ୍ୟଗୀତରେ ତନ୍ମୟ ରହିଛୁ, ତେଣେ ଯେ ତୋର ସର୍ବନାଶ ଘଟିଲାଣି ସେ ଦୁଃଖ ଗାଥା କ’ଣ ବଖାଣିବି ।

ଇନ୍ଦ୍ର

-

ଦେବର୍ଷେ ! କାହାର ସର୍ବନାଶ ?

ନାରଦ

-

ଗୀତ

ତୋହର ଖାଣ୍ଡବ ବନ,            ଅର୍ଜ୍ଜୁନ କଲା ଦହନ

ଅଗ୍ନିରେ ଦେଇଛି ଟାଣ ହରିବ ଦୁର୍ଗତି ।୧।

 

 

-

ଦେବରାଜ ! ଅର୍ଜ୍ଜୁନ ଲୁଦୁବୁଦୁ ବ୍ୟାଧିରୁ ମୁକ୍ତ କରିବାଲାଗି ତୋହର ଖାଣ୍ଡବ ବନରେ ଅଗ୍ନିକୁ ପ୍ରବେଶ କରାଇଛି ।

ଇନ୍ଦ୍ର-

 

-

ଦେବର୍ଷେ ! ଖାଣ୍ଡବ ବନ ଅର୍ଜ୍ଜୁନ ପୋଡ଼ାଇଦେଲା ! ସେ ସମୟରେ ଉଦ୍ୟାନ ରକ୍ଷକ ଗନ୍ଧର୍ବମାନେ କାହିଁଥିଲେ ?

ନାରଦ

-

ଗୀତ

ସଭୟେ ଗନ୍ଧର୍ବଗଣ,      ଛାଡ଼ିଗଲେ ନିଜ ସ୍ଥାନ

ବାମ ହେଲାଣି ତୋ କର୍ମ ବାଳକୃଷ୍ଣ ଚିନ୍ତି ।୨।

 

 

-

ଦେବରାଜ ! ସେ ଏପରିଭାବେ ଗନ୍ଧର୍ବଗଣଙ୍କୁ ଆକ୍ରମଣ କରିଛି ଯେ, ସେମାନେ ନିଜ ନିଜ ପ୍ରାଣ ଭୟରେ ଛାଡ଼ି ଇତସ୍ତତଃ ପଳାଇଲେଣି, ପୁଣି ମଧ୍ୟ ଅଗ୍ନିର ଅନୁରୋଧ ମତେ କରିଛି ଆକଟ ଯେ, ତହୁଁ ବର୍ତ୍ତିବାକୁ ନାହିଁ ତିଳେ କୀଟ ପଶୁ ପତଙ୍ଗାଦିଙ୍କୁ ବାଟ । ମଲେଣି ସମସ୍ତେ, ଯେ ଥିଲେ ଯେଉଁମାନେ ପଡ଼ି ଅଗ୍ନିର କବଳେ, ନପାଇଣ ପଥ ।

ଇନ୍ଦ୍ର

-

ଦେବର୍ଷେ ! ସତ୍ୟ ଏ ଘଟଣା ? ଯାଉଛି ମୁଁ ଏହି ମୁହୂର୍ତ୍ତରେ । ବାର୍ତ୍ତାବହ ! ଜଣାଅ ଯାଇଣ ଶୀଘ୍ର ସେନାପତେ ମୋ ଆଦେଶ । ଆସନ୍ତୁ ସସୈନ୍ୟେ ସେନାଗଣେ କରି ସାଜ, ଯାଉଛି ମୁଁ ରଙ୍ଗମହଲକୁ, ଫେରିବି ଏକ୍ଷଣି ।

 

ପଞ୍ଚମ ଦୃଶ୍ୟ

ଅନ୍ତଃପୁର

ଶଚୀଦେବୀ

-

ଆଜି ଦେବରାଜଙ୍କର ଆସିବାର ଏତେ ବିଳମ୍ୱ କାହିଁକି ? ଆଜି ଏମନ୍ତ କି ସମସ୍ୟା ପଡ଼ିଛି ଯେ ସୂର୍ଯ୍ୟଦେବ ଅସ୍ତାଚଳ ଚୁମ୍ୱି ଜନନୀ କ୍ରୋଡ଼ରେ ଆଶ୍ରୟ ନେଲେଣି, କାହିଁ ଏପର୍ଯ୍ୟନ୍ତ ଆସିଲେ ନାହିଁ ! ଏ କାହାର ପଦ ଶବ୍ଦ ? ବୋଧହୁଏ ଜୀବିତେଶ ଆସୁଛନ୍ତି ପରା ।

ଇନ୍ଦ୍ର

-

(ପ୍ରବେଶି) କି ପ୍ରିୟେ ! କାହିଁକି ବିସନ୍ନ ଏତେ, କି ବସି ଭାବୁଥିଲ ଏକାକୀ ଏଠାରେ ?

ଶତୀ

-

ନାଥ ! ଆପଣଙ୍କର ଆଜି ଏତେ ବିଳମ୍ୱର କାରଣ କ’ଣ ? ପୁଣି କିମ୍ପା ବ୍ୟଗ୍ର ଏତେ । ଆସ, କ୍ଷଣେ ବସି ଆସ୍ୱସ୍ତ ହୁଅନ୍ତୁ ।

ଇନ୍ଦ୍ର

-

ନା ପ୍ରିୟେ, ନା ମୋ ଭାଗ୍ୟରେ ଆଉ ଏ ସୁଖ ସଂଭୋଗ ନାହିଁ । ତୁମ୍ଭ ପ୍ରେମ ରଜ୍ଜୁରେ ବନ୍ଧା ହୋଇ କେଳି କାରାଗାରେ ବନ୍ଦୀ ହେବି, ସେ ସୁଖସ୍ୱପ୍ନ କିଛିକ୍ଷଣ ନିମିତ୍ତ ପାସୋରି ପକାଅ ସଖି ! କି କହିବି ସେ ଭୀଷଣବାର୍ତ୍ତା ! ଶୁଣ, ଆଜି ବିଳମ୍ୱ କାରଣ ।

ଶଚୀ

-

କି କଥା ନାଥ ?

ଇନ୍ଦ୍ର

-

ପ୍ରିୟମ୍ୱଦେ ! ଅଗ୍ନିର ଆଦେଶେ ମଧ୍ୟମ ପାଣ୍ଡବ ଅର୍ଜ୍ଜୁନ ଆସି ସୁରପୁରେ, ରୋଗୁଁ ମୁକ୍ତ କରିବାକୁ ତାକୁ ପ୍ରବେଶ କରାଇ ଅଛି ମୋର ଖାଣ୍ଡବ କାନନେ । ଶୁଣି ସେ ଭୀଷଣ ବାର୍ତ୍ତା, ଶତଧା ବିଦୀର୍ଣ୍ଣ ହୁଏ ଅନ୍ତର ମୋହର । ଅଶନେ ବ୍ୟସନେ ମୋ ନାହିଁ ସୁଖଶାନ୍ତି ଲବେ । ମେଲାଣି କର ବହନ ଯିବି ମୁଁ ସେଠାକୁ ।

ଶଚୀ

-

ପ୍ରାଣେଶ୍ୱର ! ଯେଉଁ ରଣରେ ପ୍ରାଣୀର ପ୍ରାଣ ଆଶଙ୍କା ଅନିବାର୍ଯ୍ୟ; ପୁଣି ସେ ସେହି ନଟକୁଟିଆ ନନ୍ଦ ଲାଲର ଅନ୍ତରଙ୍ଗ ସଖା, ତହିଁରେ ଏତେ ଆନନ୍ଦ କାହିଁକି ? ନଯାଆନ୍ତୁ କେଭେ ରଣେ ମାନବ ସହିତ, ଶୁଣି ବାରତା ପ୍ରାଣ କିମ୍ପା କାନ୍ଦୁଛି ମୋହର ।

ଇନ୍ଦ୍ର

-

ପ୍ରାଣେଶ୍ୱରୀ ! ବୀରାଙ୍ଗନା ହୋଇ ତୁମ୍ଭେ ନଜାଣ କି ବୀର ହୃଦ୍‌ଭାବ ।

ଶଚୀ

-

ନାଥ ! ବେଶ୍‍ ଜାଣିଛି, ମନେ ନ ପଡ଼େ କି ତବ ଅତୀତ କାହାଣୀ, ତଥାପି ପତି ଅନୁଗତା ପତ୍ନୀ ଅଟେ ସଦାକାଳେ । ପତିବାକ୍ୟ ରକ୍ଷାକରିବା ସତୀର କର୍ତ୍ତବ୍ୟ । ଆସ ନାଥ, ବୀର ସାଜେ ସଜାଇ ଦେଉଛି ଚକ (ସଜାଇ ଦେଇ) ନାଥ କର୍ତ୍ତବ୍ୟ ପାଳନେ ।

ଇନ୍ଦ୍ର-

-

ଧନ୍ୟ ଧନ୍ୟ ପତିପରାୟଣା ଗୁଣବତୀ, ନଶୁଝିବି ଏହି ଋଣ ତବ କାଳେ କାଳେ । ଯାଏ ତେଣେ ସେନାପତି ସାଜି ସେନାଗଣେ କରିଥିବେ ଅପେକ୍ଷା ମୋହର ।

 

ଷଷ୍ଠ ଦୃଶ୍ୟ

ଅଗ୍ନି

-

(ସ୍ୱଗତ) ଆଶ୍ୱସ୍ତ ହୋଇଲା ପ୍ରାଣ ଖାଣ୍ଡବ ଦହନେ, ନାହିଁ ମୋର ଲେଶମାତ୍ର ବ୍ୟାଧିର ଲକ୍ଷଣ, (ପ୍ରକାଶ୍ୟେ) ଧନ୍ୟ ଧନଞ୍ଜୟ, ତବ ବଳବୀର୍ଯ୍ୟ ଓ ସାହସେ ହେଲି ମୁହିଁ ଏ ରୋଗରୁ ମୁକ୍ତ । ସେଥିଯୋଗୁଁ ପ୍ରୀତ ତୁମ୍ଭଠାରେ । ଇଚ୍ଛା ସୁଖେ ମାଗି ଘେନ ବର ।

ଅର୍ଜ୍ଜୁନ

-

କି ବର ମାଗିବି ଦେବ, ନଜାଣେ ମୁଁ କିଛି, ପ୍ରୀତ ଯଦି ଅଧମ କିଙ୍କରେ ଅସ୍ତୁ ହେଉ ଗାଣ୍ଡିବ କାର୍ମୂକ ।

ଅଗ୍ନି

-

ତଥାସ୍ତୁ ( ଅନ୍ତର୍ଦ୍ଧାନ )

ଇନ୍ଦ୍ର

-

( ପ୍ରବେଶି ) ଆରେରେ ପାଷଣ୍ଡ, ଏଡ଼େକ ଆସ୍ପର୍ଦ୍ଧା, ଦେଖିବି ରେ ମୂଢ଼ କେଡ଼େ ତୋ ଦିମାକ ।

 

-

ଗୀତ-(ତାଳ-ଛପକା)

ପାଣ୍ଡବା ଜାରଜାତକା, କଲୁ ଏଡ଼େ କାଣ୍ଡ ରେ

ଖାଣ୍ଡବ ଦହିଲୁ ମୂର୍ଖ ସମ୍ଭାଳ ତୋ ମୁଣ୍ଡ ରେ । ପଦ ।

 

 

-

ମୂର୍ଖ ! ଜାରଜାତକା ମୋର ଖାଣ୍ଡବ ବନ ଧ୍ୱଂସ କଲୁ, ଏକ୍ଷଣି ତୋର ମୁଣ୍ଡ କେ ରଖିବ ଦେଖିବି ।

 

-

ଗୀତ

ଭଣ୍ଡ ପିଶାଚ ଅଜ୍ଞାନ ନାହିଁ ତୋର କାଣ୍ଡ ଜ୍ଞାନ ।

ଦଣ୍ଡକେ ନେବି ତୋ ପ୍ରାଣ କରି ଖଣ୍ଡଖଣ୍ଡ ରେ । ୧ ।

ତୁହି ରେ ପତଙ୍ଗ ଛାର ମାତଙ୍ଗେ କରୁ ସମର

ବାଳକୃଷ୍ଣର ବିଚାର ହେବୁ ଲଣ୍ଡ ଭଣ୍ଡ ରେ । ୨ ।

 

 

-

ନରାଧମ ! ଏଡ଼େକ ଆସ୍ପର୍ଦ୍ଧା ତୋର, ସିଂହ ପାଶେ ମୁଖ ଦେଉ ତୁ ହୀନ ଶୃଗାଳ, ରକ୍ଷା ଆଉ ନାହିଁ ତୋତେ ।

ଅର୍ଜ୍ଜୁନ

-

ଗୀତ

(ତାଳ-ଖେମଟା)

କେତେ ବଢ଼ି କହୁ ରେ ମୂଢ଼

ପାଷଣ୍ଡ ଛାଡ଼ିଲାଣି ତୋତେ ଧର୍ମ ରେ

କାଢ଼ଆ ପଣ ତୋ ଦେଖାଯିବ ଆଜି

ପାଜି କଲୁ ମନ୍ଦ କର୍ମ ରେ । ପଦ ।

 

ରେ ମୂଢ଼ ! ଆଉଦଣ୍ଡେ ରହ ଦେଖିବି ତୋ ଦିମାକ କେଯାଏ ।

 

-

ଗୀତ

ଦଳ ବଳ ତୋର ହେଲେଣି ନିର୍ମୂଳ

କି ସାହସେ ଆଉ ଲଗାଉଛୁ ଗୋଳ,

ଡାକିଲାଣି କାଳ ତୋ ମଥା ସମ୍ଭାଳ

ଜଳଜଳା ନାହିଁ ସର୍ମ ରେ ।୧।

ପୁଞ୍ଜା ପୁଞ୍ଜା ବୀରଙ୍କର ଦେଖୁ ନାହୁଁ ଯଶା,

ଆଉ ରେ ଅଜ୍ଞାନ ରଣେ ବଳାଉଛୁ ଆଶା ।

 

 

-

ଗୀତ

ହରି ଗୁରୁପତ୍ନୀ ଅର୍ଜିଲୁ ଅକୀର୍ତ୍ତି,

ନାରୀ ଚୋର ବୋଲି ରଟିଛି ଏ କ୍ଷିତି

ତୁମ୍ଭେ ଦେବଜାତି ଅଟରେ କୁଜାତି

ବାଳକୃଷ୍ଣ ହୁଏ ଭ୍ରମ ରେ ।୨।

 

 

-

ବୃଥା ଆସ୍ଫାଳନେ ପ୍ରୟୋଜନ କିସ, ଧର ଶସ୍ତ୍ର କର ରଣ ଆରେ ତ୍ରିପୁରାରି ।

ଇନ୍ଦ୍ର

-

(ବଜ୍ର, ହସ୍ତେ ଯୁଦ୍ଧେ ଉଦ୍ୟତ)

ଶ୍ରୀକୃଷ୍ଣ

-

(ପ୍ରବେଶ) କ୍ଷାନ୍ତହୁଅ ଶଚ୍ଚିପତି ! ବୃଥା ରଣେ ନାହିଁ ପ୍ରୟୋଜନ । ପୁଣି ପିତାପୁତ୍ରେ ଯୁଦ୍ଧ ନଶୋଭେ ଦାଣ୍ଡକୁ । ଦେବହିତେ ପାର୍ଥବୀର କରିଅଛି ଏହା । ନୁହଇ ବିଧେୟ ତବ ବଧିବା ତାହାକୁ ।

ଇନ୍ଦ୍ର

-

(ଶ୍ରୀକୃଷ୍ଣଙ୍କୁ ପ୍ରଣାମକରଣ)

ଅଗ୍ନି

-

(ପ୍ରବେଶି) ତ୍ରିପୁରାରି ! କ୍ଷମାକର ପାର୍ଥବୀରେ । ମମ ମୁଖେ ଚାହିଁ ନୁହେ ସେହି ଦୋଷୀ ସର୍ବତୋଭାବେ ଦୋଷୀ ମୁଁ ଏଥିରେ ।

ଇନ୍ଦ୍ର

-

ଧନ୍ୟ, ଧନ୍ୟ ଧନ୍ୟ ରେ ଅର୍ଜ୍ଜୁନ । ସନ୍ତୁଷ୍ଟ ହୋଇଲି ମୁହିଁ ତବ ବଳବୀର୍ଯ୍ୟ ଦେଖି, ଆନନ୍ଦରେ ଯାଚୁଅଛି ଏକବର । ଇଚ୍ଛା ସୁଖେ ମାଗି ଘେନ ବର ।

ଅର୍ଜ୍ଜୁନ

-

କି ବର ମାଗିବି ପିତଃ, ଅଧମ ମୁଁ ଅକିଞ୍ଚନ ନର, କ୍ଷମା କରି ମମ ଦୋଷ ଅନୁଗ୍ରହ ହେଉ । ମୋତେ କିରୀଟ ଭୂଷଣ ।

ଇନ୍ଦ୍ର

-

ନିଅ ବତ୍ସ ! ଘେନ ଏହା ବୀରଭୂଷା ରୂପେ, ଆଜିଠାରୁ କିରୀଟୀ ନାମ ବିଦ୍ୟମାନ ରହିଲା ତୋ ଭବେ । ଯଶସ୍ଵୀ ହୋଇବୁ ତୁହି ଯୁଗେ ଯୁଗେ ବାବୁ ।